ପୁରୀ: ପୁରୀ ପୋଲିସ୍ ପକ୍ଷରୁ ଖଜା ଗୋଦାମ ଉପରେ ବଡ଼ ଧରଣର ଚଢାଉ । ୪ କ୍ୱିଣ୍ଟାଲ ନିମ୍ନ ମାନର ଖଜା ଜବତ କଲା ପୋଲିସ । ଖଜା ପ୍ରସ୍ତୁତିରେ ବ୍ୟତିକ୍ରମ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ପୁରୀ ସିଟି ଡିଏସପିଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଖଜା ଗୋଦାମ ଉପରେ ପୁରୀ ପୋଲିସ ରେଡ୍ କରିଛି । ସିଟି ଡିଏସପିଙ୍କ ନେତୃତ୍ୱରେ ଟାଉନ ପୋଲିସ, ଖାଦ୍ୟ ସୁରକ୍ଷା ବିଭାଗ ଏବଂ ଓଜନ ଓ ମାପ ବିଭାଗର ମିଳିତ ଟିମ୍ ଏହି ଅଭିଯାନରେ ସାମିଲ ଅଛନ୍ତି ।ଭେଜାଲ ଖଜା ପ୍ରସ୍ତୁତ କରୁଥିବା ଖଜା ବ୍ୟବସାୟୀଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୁରୀ ଏସ୍?ପି ପ୍ରତୀକ ସିଂ ଗଣମାଧ୍ୟମକୁ କହିଛନ୍ତି । ପୁରୀ ସିଟି ଡିଏସପିଙ୍କ ନେତୃତ୍ୱରେ ଆଜି ସକାଳୁ ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଛି । ଶ୍ରଦ୍ଧାଳୁମାନଙ୍କୁ ନିମ୍ନମାନର ଏବଂ ଭେଜାଲ ଖଜା ଅଧିକ ଦାମରେ ବିକ୍ରି କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଏହାପରେ ପୋଲିସ ପ୍ରଶାସନ ତରଫରୁ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି।ଶ୍ରୀକୃଷ୍ଣ ସିନେମା ଲେନ୍, ବଡ଼ଦାଣ୍ଡ, ସ୍ୱର୍ଗଦ୍ୱାର ଏବଂ ଆଖପାଖ ଅଞ୍ଚଳରେ ଥିବା ଅନେକ ଖଜା ଗୋଦାମ ଏବଂ କାରଖାନାରେ ଏହି ଚଢ଼ାଉ ଚାଲିଥିଲା । ଏହି ଚଢ଼ାଉ ସମୟରେ ଖଜାର ଗୁଣବତ୍ତା, ଓଜନରେ ହେରଫେର, ପ୍ୟାକେଜିଂ ଏବଂ ଖାଦ୍ୟ ସୁରକ୍ଷା ଲାଇସେନ୍ସ ଯାଞ୍ଚ କରାଯାଇଛି । ଭେଜାଲ କିମ୍ବା ନିମ୍ନମାନର ଖଜା ଜବତ କରାଯିବା ସହ ଦୋଷୀ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି।ପୁରୀ ଏସପି ପ୍ରତୀକ ସିଂ କହିଛନ୍ତି, “ପୁରୀର ଖଜା ବିଶ୍ୱ ପ୍ରସିଦ୍ଧ । ବହୁ ଦୂରରୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଖଜା କିଣି ଘରକୁ ନେଇଥାନ୍ତି । ଅନେକ ସ୍ଥାନରେ ଅତି ନିମ୍ନ ମାନର ଓ ଅସ୍ୱାସ୍ଥ୍ୟକର ପରିବେଶରେ ଖଜା ତିଆରି ହେଉଥିବା ନେଇ ଆମ ପାଖକୁ ଖବର ଆସିଥିଲା । ବହୁ ନିମ୍ନ ମାନର ତେଲ ଓ ଘିଅରେ ଖଜା ପ୍ରସ୍ତୁତ ହେଉଛି । ଏଣୁ ପୋଲିସ, ଖାଦ୍ୟ ନିରାପତ୍ତା ଅଧିକାରୀ, ପୁରୀ ମହାନଗର ନିଗମ ପକ୍ଷରୁ ମିଳିତ ଭାବେ ବିଭିନ୍ନ ଖଜା ଦୋକାନ ଉପରେ ଚଢ଼ାଉ ହୋଇଥିଲା । ଅତି ନିମ୍ନ ମାନର ଓ ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି ହେଉଥିବା ଖଜାକୁ ଜବତ କରାଯାଇଛି । ବିନା ଟ୍ରେଡ ଲାଇସେନ୍ସ, ଫୁଡ୍ ଲାଇସେନ୍ସରେ କିଛି ବ୍ୟକ୍ତି ଖଜା ବ୍ୟବସାୟ କରୁଥିବା ଜଣାପଡ଼ିଛି ।
