ନୂଆଦିଲ୍ଲୀ: ବାଣିଜ୍ୟ, ଉତ୍ପାଦନ, ନିବେଶ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ପାଞ୍ଚ-ଦଫା ବିଶିଷ୍ଟ ପଦକ୍ଷେପ ପ୍ରସ୍ତାବ ଦେଇ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ରବିବାର କହିଛନ୍ତି ଯେ, ଯୋଗାଣ ଶୃଙ୍ଖଳାର ସୁରକ୍ଷା ଏବଂ ଏକ ବୃହତ୍ ସମନ୍ୱିତ ବଜାର ଗଠନ ପାଇଁ ବ୍ରିକ୍ସ ଦେଶଗୁଡ଼ିକ ଉଦୀୟମାନ ବଜାର ଏବଂ ଗ୍ଲୋବାଲ୍ ସାଉଥ୍ ସହିତ ଥିବା ନିବିଡ଼ ସମ୍ପର୍କର ଉପଯୋଗ କରିବା ଉଚିତ। ବ୍ରିକ୍ସ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଉଦ୍ବୋଧନ ଦେଇ ସେ ଏହି ଗୋଷ୍ଠୀର ନେତାମାନଙ୍କୁ ଏକତା ମାଧ୍ୟମରେ ଶକ୍ତିର ଏକ ନୂତନ ଅଧ୍ୟାୟ ରଚନା କରିବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ସେ ଦୃଢ଼ତାର ସହ କହିଥିଲେ ଯେ ଯାହାର ଶକ୍ତି ଅଛି ତାହାର ହିଁ ଅଧିକାର – ଏହି ଧାରଣା ବହୁ ପୂର୍ବରୁ ପରିତ୍ୟାଗ କରାଯିବା ଉଚିତ ଥିଲା। ସେ କହିଲେ, ନିୟମହୀନ ବିଶ୍ୱ ଟ୍ରାଫିକ୍ ଲାଇଟ୍ ବିହୀନ ଏକ ଛକ ସଦୃଶ, ଯେଉଁଠାରେ ଅରାଜକତା ଏବଂ ବିଶୃଙ୍ଖଳା ସୁନିଶ୍ଚିତ। ନିରପେକ୍ଷତା ଏବଂ ନ୍ୟାୟ ହେଉଛି ଏକ ସାର୍ବଜନୀନ ଆକାଂକ୍ଷା ଏବଂ ଅନ୍ତର୍ଜାତୀୟ ନିୟମ ସମସ୍ତ ଦେଶ ଦ୍ୱାରା ପ୍ରସ୍ତୁତ ହେବା ଆବଶ୍ୟକ। ସି କହିଛନ୍ତି ଯେ “ଗ୍ଲୋବାଲ୍ ସାଉଥ୍’ର ଦେଶଗୁଡ଼ିକ ମିଳିତ ଭାବେ “ଆନ୍ତର୍ଜାତୀୟ ବ୍ୟାପାରରେ ଆଇନର ଶାସନକୁ ସୁରକ୍ଷା ଦେବା, ସାର୍ବଭୌମ ସମାନତା, ଆଭ୍ୟନ୍ତରୀଣ ବ୍ୟାପାରରେ ଅହସ୍ତକ୍ଷେପ ଏବଂ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ସମେତ ଆନ୍ତର୍ଜାତୀୟ ସମ୍ପର୍କର ମୌଳିକ ନିୟମାବଳୀକୁ ରକ୍ଷା କରିବା ଏବଂ ଆନ୍ତର୍ଜାତୀୟ ଆଇନ ଓ ନିୟମ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହେବା ସୁନିଶ୍ଚିତ କରିବା’ ଉଚିତ୍। ଏହି ପରିପ୍ରେକ୍ଷୀରେ, ସେ ଦ୍ୱୈତ ମାନଦଣ୍ଡ ପରିହାର କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ; ଏହି ମନ୍ତବ୍ୟ ପାଶ୍ଚାତ୍ୟ ଶକ୍ତିମାନଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଭାବେ ବିବେଚନା କରାଯାଉଛି। ବାଣିଜ୍ୟ ଓ ନିବେଶ ସୁବିଧାକରଣ ପଦକ୍ଷେପ ଉପରେ କହିବାକୁ ଯାଇ ସି କହିଲେ ଯେ, ଚୀନ୍ ଏକ ‘ବ୍ରିକ୍ସ ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ଭାଗୀଦାରୀ ବ୍ୟବସ୍ଥା ସ୍ଥାପନ କରିବାକୁ ପ୍ରସ୍ତାବ ଦେଉଛି। ଏହା ଅଧୀନରେ ବିଭିନ୍ନ ଦେଶ ଏକ ଇଣ୍ଟେଲିଜେଣ୍ଟ ପୋର୍ଟାଲ୍ ପ୍ରତିଷ୍ଠା କରିପାରିବେ, ନୀତିଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରିପାରିବେ ଏବଂ ମୁକ୍ତ ବିକାଶ ପାଇଁ ଏକ ନୂତନ ଦିଗନ୍ତ ସୃଷ୍ଟି କରିପାରିବେ। ସେ କହିଲେ ଯେ, ତୃତୀୟ ପଦକ୍ଷେପଟି ଡିଜିଟାଲ୍ ଶିଳ୍ପ କ୍ଷେତ୍ରରେ ହେବ। ସେ କହିଲେ, ଚୀନ୍ ଏକ ବ୍ରିକ୍ସ ଡିଜିଟାଲ୍ ଇକୋସିଷ୍ଟମ୍ କ୍ଲାଉଡ୍ ପ୍ଲାଟଫର୍ମ ସ୍ଥାପନ ଉପରେ ଗୁରୁତ୍ୱ ଦେବ ଏବଂ ଡିଜିଟାଲ୍ ଦକ୍ଷତା ପ୍ରଶିକ୍ଷଣ, ବୈଷୟିକ ଆଦାନପ୍ରଦାନ ଓ ଶିଳ୍ପଗତ ସମନ୍ୱୟ କାର୍ଯ୍ୟକ୍ରମ ହାତକୁ ନେବ, ଯାହା ଫଳରେ ମିଳିତ ଭାବେ ଡିଜିଟାଲ୍ ଅର୍ଥନୀତିର ବିକାଶକୁ ସକ୍ଷମ କରାଯାଇପାରିବ। ସି କହିଲେ ଯେ, ଚତୁର୍ଥ ପଦକ୍ଷେପଟି ଇଣ୍ଟେଲିଜେଣ୍ଟ ମାନୁଫାକ୍ଚରିଂ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ସମ୍ବନ୍ଧୀୟ ହେବ। ସେ କହିଲେ, ସ୍ମାର୍ଟ କାରଖାନା ନିର୍ମାଣ ତଥା ମାନକ ଓ ନିୟମାବଳୀ ବିକାଶ କ୍ଷେତ୍ରରେ ଅନ୍ୟ ବ୍ରିକ୍ସ ଦେଶଗୁଡ଼ିକୁ ସହାୟତା କରିବାକୁ ଏବଂ ମିଳିତ ଭାବେ ଉତ୍ପାଦନ କ୍ଷେତ୍ରରେ ରୂପାନ୍ତର ଓ ଉନ୍ନତିକରଣକୁ ପ୍ରୋତ୍ସାହିତ କରିବାକୁ ଚୀନ୍ ପ୍ରସ୍ତୁତ ଅଛି। ପଞ୍ଚମ ପଦକ୍ଷେପଟି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ହେବ। ଇଞ୍ଜିନିୟରମାନଙ୍କର ମିଳିତ ବିକାଶ ଏବଂ ଦକ୍ଷତା ମାନକଗୁଡ଼ିକର ପାରସ୍ପରିକ ସ୍ୱୀକୃତି ପାଇଁ ଚୀନ୍ ଏକ ବ୍ରିକ୍ସ ଇଞ୍ଜିନିୟର ବିକାଶ ମେଣ୍ଟ ଗଠନ କରିବାକୁ ପ୍ରସ୍ତାବ ଦେଉଛି ବୋଲି ସେ କହିଥିଲେ।
