କଟକ: ଭୁଲ ପରିଚୟ ପାଇଁ ସୁପାରୀ କିଲରଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ ବୃଦ୍ଧ । ଅର୍ଥାତ ଅଭିଯୁକ୍ତମାନେ ନିଜର ପ୍ରକୃତ ଟାର୍ଗେଟ୍ ବଦଳରେ ‘ଭୁଲ ପରିଚୟ’ ଯୋଗୁଁ ଅନ୍ୟ ଜଣେ ନିର୍ଦ୍ଦୋଷ ବୃଦ୍ଧଙ୍କୁ ନିଜର ଶିକାର ବନାଇ ଥିଲେ । କଟକ ସିଡିଏ ସେକ୍ଟର-୬ ଅଞ୍ଚଳରେ ଗତ ଏପ୍ରିଲ ୫ ତାରିଖରେ ଭୁଲ ପରିଚୟ ପାଇଁ ବୃଦ୍ଧ ରକ୍ତାକ୍ତ ଆକ୍ରମଣର ଶିକାର ହେଲେ ବୋଲି ମଙ୍ଗଳବାର ତଥ୍ୟ ରଖିଛି ପୋଲିସ । ବାଦାମବାଡ଼ି ଅଞ୍ଚଳରେ ବହି ବ୍ୟବସାୟ କରୁଥିବା ଚନ୍ଦନ ଭୋଳର ସିଡିଏ ଅଞ୍ଚଳରେ ବ୍ୟବସାୟ କରୁଥିବା ଜଣେ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ଦୀର୍ଘ ଦିନରୁ ଆର୍ଥିକ କାରବାରକୁ ନେଇ ଶତ୍ରୁତା ଲାଗି ରହିଥିଲା । ଏହି ଶତ୍ରୁତାର ପ୍ରତିଶୋଧ ନେବା ପାଇଁ ଚନ୍ଦନ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହତ୍ୟା କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ଏବଂ ନିଜ ଯୋଜନାକୁ କାର୍ୟ୍ୟକାରୀ କରିବା ପାଇଁ ଚନ୍ଦନ ନିଜର ସହଯୋଗୀ ଶିଶିର ଜେନା, ରାଜେଶ ନାୟକ ଓରଫ ଦିନୁ ଏବଂ ରାକେଶ ବେହେରା ଓରଫ ରାକାକୁ ଦେଢ଼ ଲକ୍ଷ ଟଙ୍କାର ‘ସୁପାରି’ ଦେଇଥିଲେ । ଏହି ଅଭିଯୁକ୍ତମାନେ ଘଟଣା ପୂର୍ବରୁ ସମ୍ପୃକ୍ତ ଅଞ୍ଚଳରେ ବାରମ୍ବାର ବୁଲି ଟାର୍ଗେଟ୍ ଉପରେ ନଜର ରଖିଥିଲେ । ତେବେ ଘଟଣା ଦିନ ସବୁ ଯୋଜନା ଓଲଟପାଲଟ ହୋଇଯାଇଥିଲା । ଅଭିଯୁକ୍ତମାନେ ନିଜର ପ୍ରକୃତ ଟାର୍ଗେଟ୍ ବଦଳରେ ‘ଭୁଲ ପରିଚୟ’ ଯୋଗୁଁ ଅନ୍ୟ ଜଣେ ନିର୍ଦ୍ଦୋଷ ବୃଦ୍ଧଙ୍କୁ ନିଜର ଶିକାର ବୋଲି ଭାବି ନେଇଥିଲେ । ଜେ.ପି. ନାରାୟଣ ପାର୍କ ନିକଟରେ ସେହି ବୃଦ୍ଧଙ୍କୁ ଏକ ଧାରୁଆ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ବୃଦ୍ଧ ଜଣକ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିଲା । ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଆକ୍ରମଣର ଶିକାର ହେବା ପରେ ଏନେଇ ମର୍କତନଗର ଥାନାରେ ଅଭିଯୋଗ ହେବା ପରେ କଟକ ଡିସିପିଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ଜିଲ୍ଲା ଯଥା ଅନୁଗୁଳ, ବ୍ରହ୍ମପୁର, କେନ୍ଦୁଝର ଓ କନ୍ଧମାଳରେ ଚଢ଼ାଉ କରି ୪ ଜଣ ପ୍ରମୁଖ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ଏକ କାର୍, ଏକ ପଲସର ମୋଟରସାଇକେଲ୍, ଏକ ଧାରୁଆ ଖଣ୍ଡା, ୫ଟି ମୋବାଇଲ୍ ଏବଂ ନଗଦ ୧୧,୦୦୦ ଟଙ୍କା ଜବତ କରାଯାଇଛି । ଏହି ମାମଲାରେ ସଂପୃକ୍ତ ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି ।
