କୋଲକାତା: ବଙ୍ଗରେ ବିଜେପି ସରକାର ନୂତନ ପୂଜା ନିୟମ ପ୍ରସ୍ତୁତ କରିଛନ୍ତି। ୨୦୧୭ରେ ପୂର୍ବ ଟିଏମସି ସରକାର ଦ୍ୱାରା ପ୍ରଚଳିତ ବାର୍ଷିକ ପୂଜା କାର୍ନିଭାଲକୁ ବାତିଲ କରିବା ଠାରୁ ମହା ଅଷ୍ଟମୀରେ ମଦ ବିକ୍ରୟ ନିଷେଧ କରିବା ପର୍ଯ୍ୟନ୍ତ, ପଶ୍ଚିମବଙ୍ଗର ବିଜେପି ସରକାର ସୋମବାର ରାଜ୍ୟରେ ଚଳିତ ବର୍ଷ ଦୁର୍ଗା ପୂଜାରେ ଗ୍ରହଣ କରାଯିବା ପାଇଁ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି। ମହାଅଷ୍ଟମୀ କଟକଣାର ଅର୍ଥ ହେଉଛି ଏହି ଦିନ ପଶ୍ଚିମବଙ୍ଗରେ କୌଣସି ସ୍ଥାନରେ ମଦ୍ୟପାନ ବିକ୍ରି ହେବ ନାହିଁ। ଅଧିକାରୀ କହିଛନ୍ତି ଯେ ଭକ୍ତମାନେ ଦେବୀ ଦୁର୍ଗାଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରୁଥିବା ଏହି ଉତ୍ସବର ଧାର୍ମିକ ଗୁରୁତ୍ୱକୁ ବିଚାରକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ପୂଜା କମିଟିଗୁଡ଼ିକୁ ମୂର୍ତ୍ତି, ପାଣ୍ଡାଲ ଏବଂ ବିଷୟବସ୍ତୁ ପ୍ରସ୍ତୁତ କରିବା ସମୟରେ ଧାର୍ମିକ ଏବଂ ସାଂସ୍କୃତିକ ପରମ୍ପରାକୁ ସମ୍ମାନ ଦେବାକୁ ମଧ୍ୟ ନିବେଦନ କରିଛନ୍ତି। ସେ ଆୟୋଜକମାନଙ୍କୁ ଧାର୍ମିକ ଭାବନାକୁ ଆଘାତ ଦେଇପାରୁଥିବା ଯେକୌଣସି ଜିନିଷ ଏଡାଇବାକୁ ଅନୁରୋଧ କରିଛନ୍ତି ଏବଂ ମହୋତ୍ସବର ପବିତ୍ରତା ବଜାୟ ରଖିବାକୁ ଆହ୍ୱାନ କରିଛନ୍ତି। ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଡିଜେ ସଂଗୀତ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ। ପରବର୍ତ୍ତୀ ପର୍ବ ସମୟରେ କୌଣସି ବିଭ୍ରାଟକୁ ରୋକିବା ପାଇଁ ଅଧିକାରୀ ପୂଜା କମିଟିଗୁଡ଼ିକୁ ଲକ୍ଷ୍ମୀ ପୂଜାର ଗୋଟିଏ ଦିନ ପୂର୍ବରୁ ବିସର୍ଜନ ପ୍ରକ୍ରିୟା ସମାପ୍ତ କରିବାକୁ ଅନୁରୋଧ କରିଛନ୍ତି। ସେ ବୃହତ୍ ଏବଂ ଆର୍ôଥକ ଭାବରେ ସକ୍ଷମ ପୂଜା କମିଟିଗୁଡ଼ିକୁ ସରକାରୀ ସହାୟତା ଗ୍ରହଣ କରିବାରୁ ନିବୃତ୍ତ ରହିବାକୁ ମଧ୍ୟ ନିବେଦନ କରିଛନ୍ତି। ଅଧିକାରୀ କହିଛନ୍ତି ଯେ ଲୋକମାନେ ସରକାରୀ ସହାୟତା ଉପରେ ବର୍ଦ୍ଧିତ ଭାବରେ ନିର୍ଭରଶୀଳ ହୋଇଯାଇଛନ୍ତି, ଯେତେବେଳେ ପୂଜା ପୂର୍ବରୁ ସାଧାରଣ ଦାନ ମାଧ୍ୟମରେ ଆୟୋଜନ କରାଯାଉଥିଲା। ସେ କହିଛନ୍ତି ଯେ ୧ ଲକ୍ଷ ଟଙ୍କାର ଅନୁଦାନ କେବଳ ସେହି କମିଟିମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ଆର୍ôଥକ ସହାୟତା ବିନା ସେମାନଙ୍କର ଉତ୍ସବ ଆୟୋଜନ କରିପାରିବେ ନାହିଁ। କୋଲକାତାର ମିଳନ ମେଳା ପରିସରରେ ଆଗାମୀ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକର ଅଧ୍ୟକ୍ଷତା କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା କରି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ବିଜେପି ସରକାରଙ୍କ ଅଧୀନରେ ପ୍ରଥମ ଦୁର୍ଗା ପୂଜା ବଡ଼ ଧରଣର ସାଂସ୍କୃତିକ କାର୍ଯ୍ୟକ୍ରମ, ଡ୍ରୋନ୍ ଏବଂ ଆତସବାଜି ପ୍ରଦର୍ଶନୀ ଦ୍ୱାରା ଚିହ୍ନିତ ହେବ।
