ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ବସ୍ ଷ୍ଟାଣ୍ଡ ନିକଟରେ ରବିବାର ଦିନ ଏକ ଅଭାବନିୟ ଘଟଣା ଘଟିଛି। ସାମାନ୍ୟ ବାଚସାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ କାଠ ଫାଳିଆରେ ମାରଣାତ୍ମକ ଆକ୍ରମଣ କରାଯାଇଥିବାରୁ ସେ ଗୁରୁତର ଆହତ।ଆହତ ଯୁବକଙ୍କ ପରିଚୟ ଅଜୟ କୁମାର ପାତ୍ର ବୋଲି ଜଣାପଡ଼ିଛି। ସେ ବର୍ତ୍ତମାନ କମାରଯୋଡା ଅଞ୍ଚଳରେ ବସବାସ କରି ମିସ୍ତ୍ରୀ କାମ କରୁଥିବା ବେଳେ, ତାଙ୍କ ମୂଳ ଘର କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମୂଷାପୋଡା ଗ୍ରାମରେ ବୋଲି ଜଣା ପଡ଼ିଛି।ସୂଚନା ଅନୁଯାୟୀ, ରବିବାର ପ୍ରାୟ ପୂର୍ବାହ୍ନ ୧୧ଟା ସମୟରେ ଅଜୟ ବସ୍ ଷ୍ଟାଣ୍ଡ ବଜାରକୁ ପରିବା କିଣିବା ପାଇଁ ଆସିଥିବା ବେଳେ, ଜଣେ ଦୁର୍ବୃତ୍ତ ହଠାତ୍ ତାଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତାଙ୍କ ମୁଣ୍ଡ ଓ ଆଖି ପାଖରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି।ଘଟଣା ପରେ ସ୍ଥାନୀୟ ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତତ୍ କ୍ଷଣାତ ଆହତଙ୍କୁ ଉଦ୍ଧାର କରି ଟାଟା ଷ୍ଟିଲ ହସ୍ପିଟାଲକୁ ପହଞ୍ଚାଇଥିଲେ। ସେଠାରେ ସେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗତକାଲି ଟାଟା ଖଣି ଅଞ୍ଚଳରେ ଜଣେ ବ୍ୟକ୍ତି ସହ ଅଜୟଙ୍କ ବାଚସା ହୋଇଥିଲା। ସେହି ଘଟଣାକୁ ନେଇ ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ଘଟିଥିବା ସନ୍ଦେହ ପ୍ରକାଶ ପାଉଛି।ଖବର ପାଇ ଯୋଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି।ଦିନ ଦ୍ୱିପହରରେ ବ୍ୟସ୍ତ ବହୁଳ ବଜାର ମଝିରେ ଏପରି ମରଣାତ୍ମକ ଆକ୍ରମଣ ଘଟିଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
