ପୁରୀ: ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଗଣତି ମଣତି । ୪ଦିନ ଧରି ଚାଲିଥିଲା ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ। ଆଜି ରତ୍ନଭଣ୍ଡାର ଗଣତି ମଣତି ଟିମ୍ ର ସଦସ୍ୟ ମାନେ ମହାପ୍ରଭୁଙ୍କ ସକାଳ ଧୂପ ନୀତି ସରିବା ପରେ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରରେ ପ୍ରବେଶ କରିଥିଲେ। ପ୍ରତ୍ୟେକ ରତ୍ନ ଅଳଙ୍କାର କୁ ଚିହ୍ନଟ କରିବା, ଓଜନ ନିର୍ଣ୍ଣୟ କରିବା ଏବଂ କେଉଁ ରତ୍ନରେ ଅଳଙ୍କାର ତିଆରି ହୋଇଛି ତାହାର ଚିହ୍ନଟ ପାଇଁ ରତ୍ନ ଅଳଙ୍କାର ବିଶେଷଜ୍ଞ ମାନେ ଅତ୍ୟାଧୁନିକ ମେସିନ ମାଧ୍ୟମରେ ସମସ୍ତ ରତ୍ନ ଅଳଙ୍କାର କୁ ଚିହ୍ନଟ କରିଛନ୍ତି। ସମସ୍ତ ରତ୍ନ ଅଳଙ୍କାରର ଥ୍ରୀଡୀ ସ୍କାନିଙ୍ଗ କରାଯାଇଥିବା ବେଳେ ଏହାକୁ ଏକ ଡିଜିଟାଲ କ୍ୟାଟଲକ କରାଯିବ। ଯାହାଫଳରେ ଆଗାମୀ ଦିନରେ ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ବେଳେ ପ୍ରଶାସନକୁ ଅଧିକ ସହଜ ହେବା ସହ ଖୁବ୍ କମ୍ ସମୟରେ ଗଣତି ମଣତି କାର୍ଯ୍ୟ ହୋଇପାରିବ। ଡିଜିଟାଲ ଫଟୋଗ୍ରାଫି ମାଧ୍ୟମରେ ସମସ୍ତ ରତ୍ନ ଅଳଙ୍କାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ। ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ବିଭିନ୍ନ ପର୍ବପର୍ବାଣୀରେ ବ୍ୟବହୃତ ହେଉଥିବା ବିଭିନ୍ନ ଅଳଙ୍କାର ରହିଛି। ତେବେ ଆଜି ବାହାର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ସୁରୁଖୁରୁରେ ସମ୍ପୂର୍ଣ୍ଣ ହୋଇଥିବାବେଳେ ମହାପ୍ରଭୁଙ୍କ କୃପାରୁ ଆଗାମୀ ଦିନରେ ହେବାକୁ ଥିବା ଭିତର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ସୁରୁଖୁରୁରେ ସମ୍ପୂର୍ଣ୍ଣ ହେବ ବୋଲି ଆଶା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ଶେଷ ହେଲା… ପାଢୀ।ଗତ ମାର୍ଚ୍ଚ ୨୫ ତାରିଖରେ ପ୍ରଥମେ ଚଳନ୍ତି ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯାଇଥିଲା। ପରେ ଗତ ଏପ୍ରିଲ୍ ୮ ତାରିଖରୁ ଚାରିଦିନ ଧରି ବାହାର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯାଇଥିଲା। ଗଣତି ମଣତି କାର୍ଯ୍ୟରେ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ପ୍ରତୀକ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗଣତି ମଣତି କାର୍ଯ୍ୟ କରାଯାଉଛି। ଗଣତି ମଣତି ଟିମ୍ ରେ ଶ୍ରୀମନ୍ଦିର ବଣିଆ ସେବକ, ବ୍ୟାଙ୍କ ରୁ ଆସିଥିବା ସ୍ୱର୍ଣ୍ଣକାର, ଆରବିଆଇ ଅଧିକାରୀ, ରତ୍ନ ପଥର ବିଶେଷଜ୍ଞ, ପ୍ରାଧିକୃତ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଏହି ଗଣତି ମଣତି କାର୍ଯ୍ୟରେ ସାମିଲ୍ ହୋଇଛନ୍ତି। ତେବେ ଆଗାମୀ ସ୍ନାନଯାତ୍ରା ପୂର୍ବରୁ ସମସ୍ତ ଗଣତି ମଣତି କାର୍ଯ୍ୟ ଶେଷ କରିବା ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି। ତେବେ ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥିବାରୁ ଅତ୍ୟନ୍ତ ସ୍ୱଚ୍ଛତା ଏବଂ ନିର୍ଭୁଲ ଭାବରେ ଗଣତି ମଣତି କାର୍ଯ୍ୟ ଉପରେ ମୁଖ୍ୟତଃ ଗୁରୁତ୍ୱ ଦିଆଯାଉଥିବା ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି।
