ରଘୁନାଥପୁର: ରଘୁନାଥପୁର ଥାନା ଅନ୍ତର୍ଗତ କଟକ ପାରାଦ୍ୱୀପ ରାଜରାସ୍ତାର ଜଗନ୍ନାଥପୁର ଠାରେ ଏକ ଅଜଣା ଗାଡ଼ି ଧକ୍କାରେ ସାଲେପୁର ଥାନା ଅନ୍ତର୍ଗତ ସାରଦା ଗ୍ରାମର ଦେବେନ୍ଦ୍ର ମହାନ୍ତିଙ୍କ ପୁଅ ଶୁଭ୍ରଜିତ ମହାନ୍ତି(୩୨)ଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସହିତ ଯାଉଥିବା ଅନ୍ୟ ଏକ ଯୁବକ ବିଶ୍ୱଜିତ ମିଶ୍ର ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ, ଗତକାଲି ବିଳମ୍ବିତ ରାତି ୨ଟା ୩୦ ମିନିଟ୍ ସମୟରେ ଦୁଇ ବାଇକ ଆରୋହୀ କଟକ ଅଭିମୁଖେ ଯାଉଥିବା ସମୟରେ ରଘୁନାଥପୁର ଥାନା ଜଗନ୍ନାଥପୁର ବଜାର ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ବାଇକ ଆରୋହୀ ଦୁଇଜଣ ଘଟଣା ସ୍ଥଳରେ ମୂମୁର୍ଷୁ ଅବସ୍ଥାରେ ପଡ଼ିଥିବା ବେଳେ ଖବରପାଇ ରଘୁନାଥପୁର ଥାନା ଏସ ଆଇ ଯୋଗେଶ୍ୱର ବେହେରା ସେଠାରେ ପହଞ୍ଚି ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରଘୁନାଥପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଶୁଭ୍ରଜିତ ମହାନ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ବିଶ୍ୱଜିତ ମିଶ୍ରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଏହି ଘଟଣାରେ ଥାନା ପୋଲିସ କେଶ୍ ନଂ ୭୫/୨୦୨୬ରେ ଏକ ମାମଲା ରୁଜୁ କରି ଶବଟିକୁ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ପଠାଯାଇଛି। ଧକ୍କା କରିଥିବା ଗାଡ଼ିଟିର ଏ ପର୍ଯ୍ୟନ୍ତ କୌଣସି ସୁରାକ୍ ମିଳିନଥିବା ଜଣାଯାଇଛି।
