ଅହମ୍ମଦାବାଦ: କେନ୍ଦ୍ର ସରକାରଙ୍କ ଆଞ୍ଚଳିକ ସଂଯୋଗ ଯୋଜନା ଉଡ଼ାଣ ଅଧୀନରେ ଭାରତ ଆଗାମୀ ୧୦ ବର୍ଷ ମଧ୍ୟରେ ୩୦,୦୦୦ କୋଟି ଟଙ୍କା ବ୍ୟୟରେ ୧୦୦ଟି ବିମାନବନ୍ଦର ନିର୍ମାଣ କରିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ମଙ୍ଗଳବାର ଏଠାରେ କହିଛନ୍ତି।
ଅହମ୍ମଦାବାଦ ବିମାନବନ୍ଦରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଉପମୁଖ୍ୟମନ୍ତ୍ରୀ ହର୍ଷ ସଂଘଭି ମଧ୍ୟ ଉପସ୍ଥିତ ଥିଲେ ଯେଉଁଠାରେ ନାଇଡୁ ଅହମ୍ମଦାବାଦ ବିମାନବନ୍ଦରରୁ ଭାରତର ତୃତୀୟ “ହବ୍ ଆଣ୍ଡ ସ୍ପୋକ୍’ କାର୍ଯ୍ୟର ଉଦ୍ଘାଟନ କରିଥିଲେ। “୨୦୧୪ ମସିହାରେ ୭୪ଟି ବିମାନବନ୍ଦର ଥିଲେ ମଧ୍ୟ, ଆଜି ଆମେ ଗର୍ବର ସହିତ କହିପାରିବା ଯେ ଭାରତର ମାନଚିତ୍ରରେ ୧୬୬ଟି ବିମାନବନ୍ଦର ରହିଛି। ୭୪ରୁ ୧୬୬କୁ ଯିବା ଦେଶ ପାଇଁ ଏକ ରେକର୍ଡ ସୃଷ୍ଟି କରିଛି। ଗତ ୧୨ ବର୍ଷ ମଧ୍ୟରେ, ଆମେ ପ୍ରାୟ ପ୍ରତି ୪୦ ଦିନରେ ଏକ ନୂତନ ବିମାନବନ୍ଦର କିମ୍ବା ଏକ ନୂତନ ଟର୍ମିନାଲର କାମ ସମାପ୍ତ କରିଛୁ ବୋଲି ନାଇଡୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଚଳିତ ବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ରର ବଜେଟ୍ ସହାୟତାରେ ୨୦୨୬-୨୭ ରୁ ୨୦୩୫-୩୬ ଆର୍ôଥକ ବର୍ଷ ପର୍ଯ୍ୟନ୍ତ ୧୦ ବର୍ଷ ପାଇଁ ଆଞ୍ଚଳିକ ସଂଯୋଗ ଯୋଜନା – ସଂଶୋଧିତ ଉଡ଼ାଣର ଶୁଭାରମ୍ଭ ଏବଂ କାର୍ଯ୍ୟାନ୍ୱୟନକୁ ଅନୁମୋଦନ କରିଥିଲା। ତାଙ୍କ ଅନୁସାରେ, ବେସାମରିକ ବିମାନ ଚଳାଚଳ କ୍ଷେତ୍ର ହେଉଛି ଭାରତର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ କ୍ଷେତ୍ର, ଯାହାର ଶକ୍ତି ଗୁରୁତ୍ୱପୂର୍ଣ୍ଣ ଆର୍ôଥକ କାର୍ଯ୍ୟକଳାପ ଏବଂ ନିଯୁକ୍ତି ସୃଷ୍ଟି କରିବାର କ୍ଷମତାରେ ରହିଛି।
