ଖପ୍ରାଖୋଲ: ପିଏମ୍-କୁସୁମ ସୋଲାର ପ୍ରକଳ୍ପରେ ଶ୍ରମିକଙ୍କ ସୁରକ୍ଷାକୁ ନେଇ ଅବହେଳାର ଅଭିଯୋଗ ଏବେ ଅତ୍ୟନ୍ତ ଗମ୍ଭୀର ମୋଡ଼ ନେଇଛି। ନିର୍ମାଣାଧୀନ ପ୍ରକଳ୍ପରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିବା ଶ୍ରମିକ ଛବିଳ ପାଣ୍ଡେ(୨୭)ଙ୍କର ବଲାଙ୍ଗୀର ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ମୃତ୍ୟୁ କେବଳ ଏକ ଦୁର୍ଘଟଣା ନୁହେଁ, ବରଂ ପ୍ରକଳ୍ପରେ ଶ୍ରମିକ ସୁରକ୍ଷା ବ୍ୟବସ୍ଥା କେତେ ଦାୟିତ୍ୱହୀନ ଭାବେ ପରିଚାଳିତ ହେଉଥିଲା, ତାହା ନେଇ ଅନେକ ଅସୁବିଧାଜନକ ପ୍ରଶ୍ନ ଛିଡ଼ା କରିଛି।ଖପ୍ରାଖୋଲ ବ୍ଲକ ଓଡ଼ିଆପାଲିସ୍ଥିତ ବାବାଜୀ ମଠ ନିକଟରେ ଚାଲିଥିବା ପିଏମ୍-କୁସୁମ ସୋଲାର ପ୍ରକଳ୍ପର ପାଚେରୀ ନିର୍ମାଣ ସମୟରେ ଏହି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ବେଲପଡ଼ା ଥାନା ଅଏଁଳାଭଟା ଗ୍ରାମର କିଛି ଶ୍ରମିକ ଲୁହା ପାଇପ୍ ଲଗାଇ ପାଚେରୀ ନିର୍ମାଣ କାମ କରୁଥିଲେ। ଏହି ସମୟରେ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ଲାଇନ୍ ସହ ଲୁହା ପାଇପ୍ ସଂସ୍ପର୍ଶରେ ଆସିବାରୁ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଥିବା ଜଣାପଡିଥିଲା । ବର୍ଷା ଦିନରେ ଘଟିଥିବା ଏହି ଘଟଣାରେ ନିକଟରେ ଥିବା ଅନ୍ୟ ଶ୍ରମିକମାନଙ୍କୁ ମଧ୍ୟ ବିଦ୍ୟୁତ୍ ଝଟକା ଲାଗିଥିବା ସେମାନେ କହିଛନ୍ତି। ଘଟଣା ପରେ ଗୁରୁତର ଛବିଳ ପାଣ୍ଡେଙ୍କୁ ପ୍ରଥମେ ଖପ୍ରାଖୋଲ ଡାକ୍ତରଖାନା ନିଆଯାଇଥିଲା। ପରେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ବଲାଙ୍ଗୀରକୁ ସ୍ଥାନାନ୍ତର କରାଯାଇଥିଲା। ଆଇସିୟୁରେ ଚିକିତ୍ସା ସତ୍ତ୍ୱେ ଶେଷରେ ତାଙ୍କର ମୃତ୍ୟୁ ଘଟିଛି।ସୁରକ୍ଷା ନା କେବଳ କାମ ଶେଷ କରିବାର ତାଗିଦ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ୧୧ କେଭି ଭଳି ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍ ଲାଇନ୍ ତଳେ ଲୁହା ପାଇପ୍ ନେଇ ଶ୍ରମିକମାନେ କାମ କରୁଥିବା ବେଳେ ସୁରକ୍ଷିତ ଦୂରତା ଓ ବିଦ୍ୟୁତ୍ ଝୁମ୍ପକୁ ନେଇ ଆବଶ୍ୟକ ସତର୍କତା କାହିଁକି ନିଆଗଲା ନାହିଁ । କାମ ଆରମ୍ଭ ପୂର୍ବରୁ ବିଦ୍ୟୁତ୍ ଲାଇନ୍?ର ଯାଞ୍ଚ କରାଯାଇଥିଲା କି । ବିଜୁଳି ବିଭାଗ ସହ ସମନ୍ୱୟ କରି ଆବଶ୍ୟକ ପାୱାର ଶଟଡାଉନ୍ ନିଆଯାଇଥିଲା କି ? ଶ୍ରମିକମାନଙ୍କୁ ଇଲେକ୍ଟ୍ରିକ୍ ସେଫ୍ଟି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା କି। ଆବଶ୍ୟକ ସୁରକ୍ଷା ସାମଗ୍ରୀ ଓ ସୁରକ୍ଷିତ କାର୍ଯ୍ୟ ପ୍ରଣାଳୀ ନିଶ୍ଚିତ କରାଯାଇଥିଲା କି ? ଯଦି ଏସବୁ ବ୍ୟବସ୍ଥା ନିଆଯାଇଥିଲା, ତେବେ ଏତେ ଭୟଙ୍କର ଦୁର୍ଘଟଣା ଘଟିଲା କିପରି । ଆଉ ଯଦି ବ୍ୟବସ୍ଥା ନିଆଯାଇନଥିଲା, ତେବେ ଏହି ଅବହେଳା ପାଇଁ ଦାୟୀ କିଏ ?ଠିକାର ଚକ୍ରରେ ଶ୍ରମିକଙ୍କ ଜୀବନର ଦାୟିତ୍ୱ କାହାର ସୂଚନା ଅନୁସାରେ, ପ୍ରକଳ୍ପ କାମ ଏନଭାଇରୋକେୟାର ଇନଫ୍ରା ସୋଲୁସନ୍ସ ପ୍ରାଇଭେଟ୍ ଲିମିଟେଡ୍କୁ ଦିଆଯାଇଥିବା ବେଳେ କମ୍ପାନୀ ପକ୍ଷରୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳର ଜଣେ ଠିକାଦାରଙ୍କୁ କାମ ଦିଆଯାଇଥିବା କୁହାଯାଉଛି। ଏଭଳି ବହୁସ୍ତରୀୟ ଠିକା ବ୍ୟବସ୍ଥା ମଧ୍ୟରେ ଶ୍ରମିକଙ୍କ ସୁରକ୍ଷାର ଅନ୍ତିମ ଦାୟିତ୍ୱ କାହାର—ଏହା ଏବେ ମୁଖ୍ୟ ପ୍ରଶ୍ନ। ମୁଖ୍ୟ କମ୍ପାନୀ ଠିକାଦାରଙ୍କୁ, ଠିକାଦାର ଶ୍ରମିକଙ୍କୁ ଦାୟିତ୍ୱ ଦେଲେ ଦୁର୍ଘଟଣା ସମୟରେ ଦାୟିତ୍ୱ କାହା ମୁଣ୍ଡରେ। ଠିକାର ଏହି ଲମ୍ବା ଶୃଙ୍ଖଳା ଭିତରେ ଶ୍ରମିକଙ୍କ ଜୀବନ ଯେପରି ଦାୟିତ୍ୱହୀନତାର ଶିକାର ନହୁଏ, ସେଥିପାଇଁ କିଏ ଜବାବଦେହ ସୁପରଭାଇଜରଙ୍କ ଭୂମିକା ନେଇ ମଧ୍ୟ ପ୍ରଶ୍ନ ଘଟଣାସ୍ଥଳରେ ସୁପରଭାଇଜର ଓ କମ୍ପାନୀ କର୍ମଚାରୀ ଉପସ୍ଥିତ ଥିବା ସତ୍ତ୍ୱେ ଏଭଳି ବିପଦଜନକ କାମ କିପରି ଚାଲିଥିଲା, ତାହା ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଲୁହା ପାଇପ୍ ନେଇ ୧୧ କେଭି ଲାଇନ୍ ନିକଟରେ କାମ କରିବା ପୂର୍ବରୁ କିଏ ଅନୁମତି ଦେଲା । ବିପଦକୁ ଚିହ୍ନଟ କରିବା ପାଇଁ କୌଣସି ସେଫ୍ଟି ଆସେସମେଣ୍ଟ କରାଯାଇଥିଲା କି । ନା କି କେବଳ ପ୍ରକଳ୍ପର କାମ ଶୀଘ୍ର ଶେଷ କରିବାର ଚାପରେ ଶ୍ରମିକଙ୍କ ଜୀବନକୁ ବିପଦ ମଧ୍ୟକୁ ଠେଲି ଦିଆଗଲା? ଏହାର ଉତ୍ତର ଏବେ ତଦନ୍ତରେ ସାମ୍ନାକୁ ଆସିବା ଆବଶ୍ୟକ।ପୂର୍ବ ବିବାଦ ପରେ ଏବେ ଶ୍ରମିକଙ୍କ ଜୀବନ ନେଇ ପ୍ରଶ୍ନ ଆହୁରି ଚିନ୍ତାଜନକ ଦିଗ ହେଉଛି, ଏହି ସୋଲାର ପ୍ରକଳ୍ପ ପାଇଁ ନିର୍ଦ୍ଧାରିତ ଜମିକୁ ନେଇ ପୂର୍ବରୁ ମଧ୍ୟ ବିବାଦ ଓ ପୁଲିସ୍ କେସ୍ ହୋଇଥିବା ଜଣାପଡ଼ିଛି। ଏବେ ନିର୍ମାଣ କାମ ସମୟରେ ଜଣେ ଶ୍ରମିକଙ୍କ ଜୀବନ ଯିବା ଘଟଣା ପ୍ରକଳ୍ପର ସମଗ୍ର ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କାଠଗଡ଼ାରେ ଠିଆ କରିଛି। ସୋଲାର ପ୍ରକଳ୍ପର ଲକ୍ଷ୍ୟ ଯଦି ସ୍ୱଚ୍ଛ ଓ ସୁରକ୍ଷିତ ଶକ୍ତି ଉତ୍ପାଦନ, ତେବେ ତାହାର ନିର୍ମାଣ ପର୍ଯ୍ୟାୟରେ ଜଣେ ଶ୍ରମିକଙ୍କ ଜୀବନ ଅସୁରକ୍ଷିତ କାହିଁକି ହେବ ? ଶ୍ରମିକଙ୍କ ଜୀବନ କୌଣସି ଠିକା କାମର ଲକ୍ଷ୍ୟ, ସମୟସୀମା କିମ୍ବା ଖର୍ଚ୍ଚଠାରୁ ଅଧିକ ମୂଲ୍ୟବାନ। ତେଣୁ ଘଟଣାର ନିରପେକ୍ଷ ଓ ନିଷ୍ପକ୍ଷ ତଦନ୍ତ କରାଯାଇ ଦୁର୍ଘଟଣାର ପ୍ରକୃତ କାରଣ ଓ ଦାୟୀ ବ୍ୟକ୍ତି/ସଂସ୍ଥାଙ୍କୁ ଚିହ୍ନଟ କରାଯିବା ଆବଶ୍ୟକ। ମୃତ ଶ୍ରମିକଙ୍କ ପରିବାରକୁ ନିୟମାନୁସାରେ କ୍ଷତିପୂରଣ ଏବଂ ପରିବାରର ଭବିଷ୍ୟତ ସୁରକ୍ଷା ପାଇଁ ଯଥୋଚିତ ସହାୟତା ଦେବାକୁ ମଧ୍ୟ ଦାବି ଉଠିଛି। ଶେଷରେ ପ୍ରଶ୍ନ ଗୋଟିଏ ଯେଉଁ ପ୍ରକଳ୍ପରେ ବିଦ୍ୟୁତ୍ ଉତ୍ପାଦନ ଆରମ୍ଭ ହେବା ପୂର୍ବରୁ ନିର୍ମାଣ କାମରେ ହିଁ ଜଣେ ଶ୍ରମିକଙ୍କ ଜୀବନ ବିଦ୍ୟୁତ୍ ଝଟକାରେ ଚାଲିଗଲା, ସେହି ପ୍ରକଳ୍ପର ସୁରକ୍ଷା ବ୍ୟବସ୍ଥାକୁ ଆଉ କେତେ ଦିନ ଅଣଦେଖା କରାଯିବ ।
