ପୁରୀ: ଭେଜାଲ ଖାଦ୍ୟ ପଦାର୍ଥ ପ୍ରସ୍ତୁତି ଓ ବିକ୍ରି ଉପରେ ରୋକ ଲଗାଇବା ସହ ଖାଦ୍ୟର ମାନ ନିଶ୍ଚିତ କରିବାକୁ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ ୩ ଦିନ ଧରି ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମ୍ ପକ୍ଷରୁ ମିଳିତ ଚଢ଼ଉ ଓ ଯାଞ୍ଚ କରାଯାଉଛି । ବିଶେଷକରି ପୁରୀ ମହାନଗର ଅଞ୍ଚଳ, ନିମାପଡ଼ା, ଗୋପ, କୋଣାର୍କ ଅଞ୍ଚଳର ପ୍ରମୁଖ ଛେନା, ପନିର ଓ ମିଠା ପ୍ରସ୍ତୁତି କେନ୍ଦ୍ରଗୁଡ଼ିକ ଉପରେ ଟିମ ନଜର ରଖିଥିଲା । ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମ୍?ର ଫୁଡ୍ ସେଫଟି ଅଫିସର ତପସ୍ୱିନୀ ବେହେରା, ବେଦଶ୍ରୀ ସାହୁ ଓ ପ୍ରତ୍ୟୁଷ ରଞ୍ଜନ ତରଣିଆଙ୍କ ନେତୃତ୍ୱରେ ଏହି ମିଳିତ ଯାଞ୍ଚ ଓ ଚଢ଼ଉ କରାଯାଇଥିଲା। ଯାଞ୍ଚ ସମୟରେ ଖାଦ୍ୟରେ ଭେଜାଲ ଚିହ୍ନଟ ପାଇଁ ପ୍ରାୟ ୪୦ଟି ତୁରନ୍ତ ଆଇଓଡିନ୍ ପରୀକ୍ଷା କରାଯାଇଥିଲା ।

ଏଥିରୁ ପରୀକ୍ଷାରେ ବିଫଳ ହୋଇଥିବା ଖାଦ୍ୟ ସାମଗ୍ରୀକୁ ଘଟଣା ସ୍ଥଳରେ ହିଁ ନଷ୍ଟ କରାଯାଇଥିଲା ।ଏହାସହିତ ବିଭିନ୍ନ ସ୍ଥାନରୁ ୧୫ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇ ଅଧିକ ବିଶ୍ଳେଷଣ ପାଇଁ ଏସ୍ଏଫଟିଏଲ୍? ଟିମର ଯାଇଥିଲେ । ଚଢ଼ଉ ସମୟରେ ପ୍ରାୟ ଦେଢ କିଣ୍ଟାଲ ଭେଜାଲ ପନିର,ମିଠା ଓ ଚିନି ସିରା ଜବତ କରାଯାଇ ନଷ୍ଟ କରାଯାଇଥିଲା । ଖାଦ୍ୟ ସୁରକ୍ଷା ଆଇନର ପ୍ରଯୁଜ୍ୟ ବ୍ୟବସ୍ଥା ଅନୁସାରେ ନିୟମ ଉଲଂଘନକାରୀଙ୍କ ଉପରେ ମୋଟ ୧୫ ହଜାର ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇଛି। ଜନସାଧାରଣଙ୍କୁ ସୁରକ୍ଷିତ ଓ ଗୁଣାତ୍ମକ ଖାଦ୍ୟ ଯୋଗାଣ ନିଶ୍ଚିତ କରିବା ସହ ଭେଜାଲ ଖାଦ୍ୟ ପ୍ରସ୍ତୁତି ଓ ବିକ୍ରିକୁ ରୋକିବା ପାଇଁ ଜିଲ୍ଲାରେ ଏଭଳି ଖାଦ୍ୟ ସୁରକ୍ଷା ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଅଧିକାରୀ କହିଛନ୍ତି ।
