ବାରିପଦା ; ମୟୂରଭଞ୍ଜ ଜିଲ୍ଲା, ବାରିପଦା ବ୍ଲକ ଅନ୍ତର୍ଗତ ରାଣୀଭୋଳ ଅଞ୍ଚଳର ଲକ୍ଷ୍ମୀମଣି ହେମ୍ବ୍ରମ ତାଙ୍କ ସ୍ୱାମୀ ସ୍ୱର୍ଗତ ହରିଶ ଚନ୍ଦ୍ର ହେମ୍ବ୍ରମଙ୍କ ସନ୍ଦେହଜନକ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣାର ନିରପେକ୍ଷ, ବ୍ୟାପକ ଓ ବୈଜ୍ଞାନିକ ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ ପାଇଁ ଦାବି କରିଛନ୍ତି । ଏନେଇ ସେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଏକ ଲିଖିତ ଆବେଦନ କରିଛନ୍ତି । ଆବେଦନ ଅନୁଯାୟୀ, ୪୫ ବର୍ଷୀୟ ହରିଶ ଚନ୍ଦ୍ର ହେମ୍ବ୍ରମ, ଅଗଷ୍ଟ ୧୯ ତାରିଖ ରାତି ପ୍ରାୟ ୧୧ଟା ୪୫ରେ ବାରିପଦାରୁ ଭୁବନେଶ୍ୱର ଅଭିମୁଖେ ତାଙ୍କ ହ୍ୟୁଣ୍ଡାଇ ଆଇ ୨୦ ନଂ. ଓଡି ୧୧ଏସ ୮୩୧୦ ଯୋଗେ ବାହାରିଥିଲେ । ତାଙ୍କ ସହିତ ବନ୍ଧୁ ସତ୍ୟଜିତ ବେହେରା ଥିଲେ । ଅଗଷ୍ଟ ୨୦ ତାରିଖ ରାତି ପ୍ରାୟ ୧ଟା ୧୦ରେ ସୋରୋ ଥାନା ଅନ୍ତର୍ଗତ ଆଲିପୁର ନିକଟରେ ଗାଡ଼ିଟି ରାସ୍ତାକଡ଼ରେ ରହିଥିବା ବେଳେ ହରିଶ ଚନ୍ଦ୍ର ଗାଡ଼ିରୁ ବାହାରକୁ ଆସିଥିଲେ । ଏହି ସମୟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିବା ର ଜଣାପଡ଼ିଥିଲା । ଗୁରୁତର ଆହତ ହରିଶଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା ।ତାଙ୍କ ସହଯାତ୍ରୀ ସତ୍ୟଜିତ ବେହେରା ମଧ୍ୟ ସାମାନ୍ୟ ଆହତ ହୋଇ ବାଲେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସିତ ହୋଇ ପରେ ଡିସ୍ଚାର୍ଜ ହୋଇଥିଲେ । ଘଟଣାର ପରିସ୍ଥିତିକୁ ନେଇ ପରିବାର ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଛି । ଦୁର୍ଘଟଣାରେ ସମ୍ପୃକ୍ତ ଅଜଣା ଗାଡ଼ିକୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନଥିବାରୁ ଘଟଣାର ପ୍ରକୃତ କାରଣ ଜାଣିବା ଆବଶ୍ୟକ ବୋଲି ଆବେଦନରେ ଦର୍ଶାଯାଇଛି । ହରିଶ ଚନ୍ଦ୍ର ରିଅଲ ଇଷ୍ଟେଟ ଓ ସମ୍ପତ୍ତି ସମ୍ବନ୍ଧୀୟ ବ୍ୟବସାୟରେ ଜଡ଼ିତ ଥିବାରୁ ତାଙ୍କ ବ୍ୟବସାୟିକ ଓ ଆର୍ôଥକ କାରବାର, ସମ୍ପତ୍ତି ବିବାଦ ଏବଂ ନିକଟ ଅତୀତରେ କାହା ସହିତ ବିବାଦ ଥିଲା କି ନାହିଁ, ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହୋଇଛି । ଆବେଦନରେ ଅଜଣା ଗାଡ଼ିକୁ ଚିହ୍ନଟ ପାଇଁ ଆଲିପୁର, ସୋରୋ ଓ ଆଖପାଖ ଅଞ୍ଚଳର ସିସି ଟିଭି ଫୁଟେଜ, ଟୋଲପ୍ଲାଜା ଓ ଟ୍ରାଫିକ ରେକର୍ଡ ଯାଞ୍ଚ, ଦୁର୍ଘଟଣାସ୍ଥଳର ଫୋରେନସିକ ପରୀକ୍ଷା, ଗାଡ଼ିର କ୍ଷତିର ଧାରା ଓ ଭଙ୍ଗା ଅଂଶର ବିଶ୍ଳେଷଣ, ସାକ୍ଷୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ, ସହଯାତ୍ରୀ ସତ୍ୟଜିତ ବେହେରାଙ୍କୁ ପଚରାଉଚରା ଏବଂ ମୃତକଙ୍କ ମୋବାଇଲ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ତଥ୍ୟ ବାଲେଶ୍ୱର ଓ ମୟୂରଭଞ୍ଜ ପୁଲିସ ମଧ୍ୟରେ ସମନ୍ୱୟ ରଖି ତଦନ୍ତ କରିବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି । ଘଟଣାଟି ସାଧାରଣ ସଡ଼କ ଦୁର୍ଘଟଣା ନା କୌଣସି ଯୋଜନାବଦ୍ଧ ଧକ୍କା, ପିଛା କରିବା, ଅବରୋଧ କିମ୍ବା ଅନ୍ୟ କୌଣସି ଅପରାଧିକ ଷଡ଼ଯନ୍ତ୍ର ରହିଛି, ତାହା ତଦନ୍ତ ମାଧ୍ୟମରେ ସ୍ପଷ୍ଟ କରିବାକୁ ଦାବି ହୋଇଛି । ଦାବିପତ୍ର ପ୍ରଦାନ ବେଳେ ଭଞ୍ଜ ଦିଶୋମ ମାଝୀ ମୋହଲ ମେନେଜିଙ୍ଗ କମିଟୀ ର ଉପଦେଷ୍ଟା ଆଡ଼ଭୋକେଟ ପ୍ରଭୁଦାନ ମାରାଣ୍ଡି, ବିଜୁ ଛାତ୍ର ଜନତା ଦଳର ସଭାପତି ଆଭାସ ଦେ ଦୁର୍ୟୋଧନ ମୁର୍ମୁ, ସଭାପତି ସୁବୋଧ ସୋରେନ, ସୁନ୍ଦର ମୋହନ ବାସ୍କେ, ମନୋରଞ୍ଜନ ହେମ୍ବ୍ରମ, ଲାଲବାହାଦୁର ମାରାଣ୍ଡିଙ୍କ ସହ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
