ବାରିପଦା /ସାହାରପଡା; କେନ୍ଦୁଝର ଜିଲ୍ଲା,ଘଟଗାଁ ବ୍ଲକ ଅନ୍ତର୍ଗତ ଧୋବାପୀଟଣା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଧୋବାପୀଟଣା ଗ୍ରାମର ମାଧବ ଗାଗରାଏ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, କିଛି ଦିନ ହେବ ଧୋବାପୀଟଣା ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୨୦ଟିକିଆ ହାତୀପଲ ଡେରା ପକାଇଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଲାଗିରହିଥିଲା। ଏହି ସମୟରେ ଆଜି ଅପରାହ୍ନରେ ମାଧବଙ୍କୁ ହାତୀ ଆକ୍ରମଣ କରିଥିଲା। ଆକ୍ରମଣରେ ଘଟଣାସ୍ଥଳରେ ହିଁ ମାଧବଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିବା ବେଳେ ହାତୀପଲକୁ ନେଇ ଲୋକଙ୍କ ମଧ୍ୟରେ ଆହୁରି ଭୟ ବଢ଼ିଛି। ଖବର ପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ହାତୀପଲର ଗତିବିଧି ଉପରେ ନଜର ରଖିବା ସହ ଲୋକଙ୍କୁ ସତର୍କ ରହିବାକୁ ବନବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
