ପୁରୀ: ଏବେ ବି ସାମାଜିକ ବାସନ୍ଦ ବ୍ଯବସ୍ଥା ପୁରୀ ଜିଲ୍ଲାରେ ଦେଖିବାକୁ ମିଳିଛି । ଗୋତି ପ୍ରଥା, ବର୍ତନ ଦେଇ ଖଟାଇବା ଯୋଗୁ ଦଳିତ ଓ ବାରିକ ଧୋବା ମାନଙ୍କୁ ସାମାଜିକ ବାସନ୍ଦ କରାଯାଉଛି । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଏହି ସାମାଜିକ ବାସନ୍ଦ ବ୍ଯବସ୍ଥା ଅଧିକ ଦେଖିବାକୁ ମିଳିଛି । ଗୁରୁବାର ପୂର୍ବାହ୍ନରେ ଜିଲ୍ଲାର ବାସନ୍ଦ ପରିବାର ଗୁଡିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି । ବ୍ରହ୍ମଗିରି ଥାନା ଅଞ୍ଚଳର ବାଘମୁଣ୍ଡା ନୂଆଗାଁର ଅଶୋକ ସେଠୀଙ୍କ ୪ଟି ପରିବାର, ଚନ୍ଦନପୁର ଥାନା ଅଞ୍ଚଳ ବାଣିଆକେରାର ରାଜକିଶୋର ପଣ୍ଡା, ଶିରୁଳି ସମିର ସାଶମଲ, କାଳିଆକେରା ଗ୍ରାମର କମଳା ବେହେରା, ଉତ୍ତରଣା ମଠ ସାହିର ୧୨ଟି ଦଳିତ ପରିବାର ଏହି ଧାରଣାରେ ସାମିଲ ହୋଇଛନ୍ତି । ଏହା ସହ ଗଡ଼ିଶାଗୋଦା ଥାନା ଅଞ୍ଚଳର ଖୁଣ୍ଟିଆ ବାଣପୁର ଗ୍ରାମର ୮ଟି ପରିବାର ବାସନ୍ଦ ହୋଇ ଧାରଣାରେ ସାମିଲ ହୋଇଛନ୍ତି । ସାମାଜିକ ବାସନ୍ଦ ହୋଇଥିବା ପରିବାର ଗୁଡିକର ସମସ୍ଯା ସମାଧାନ କରାନଗଲେ ଏହି ଧାରଣା ଅନିର୍ଦ୍ଦିଷ୍ଟ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ରାଜକିଶୋର ପଣ୍ଡା, କମଳା ବେହେରା, ସମିର ସାଶମଲ, ଅଶୋକ ସେଠୀ, ଚରଣ ସେଠୀ ଓ ଦୟାନିଧି ସେଠୀଙ୍କ ନେତୃତ୍ୱରେ ଧାରଣାରେ ବସିଛନ୍ତି ।
