ପୁରୀ: ପୁରୀ ସହରବାସୀଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନରେ ସ୍ୱତନ୍ତ୍ର ଓ ସ୍ଥାୟୀ ବ୍ୟବସ୍ଥା ଦାବିରେ ଚାଲିଥିବା ଅହିଂସାମୂଳକ ସଚେତନତା ସତ୍ୟାଗ୍ରହ ପଦଯାତ୍ରା ଆଜି ୧୪୦ତମ ଦିନରେ ପହଞ୍ଚିଛି। ଏପ୍ରିଲ ୧, ଉତ୍କଳ ଦିବସଠାରୁ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପ୍ରତିଦିନ ଏହି ପଦଯାତ୍ରା ଜାରି ରହିଛି। ଆଜି ସତ୍ୟାଗ୍ରହୀ ପଦଯାତ୍ରୀମାନେ ହାତରେ ଆଧାର କାର୍ଡ ଧରି ଶାନ୍ତିପୂର୍ଣ୍ଣ ଭାବେ ପଶ୍ଚିମ ଦ୍ୱାରରେ ପହଞ୍ଚିଥିଲେ। ଆଧାର କାର୍ଡ ଦେଖାଇ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ ଘଣ୍ଟି ଦ୍ୱାର ଦେଇ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ।ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଆଜି ଆଧାର କାର୍ଡ ଦେଖାଇ ପ୍ରବେଶର ସୁଯୋଗ ମିଳିଥିଲେ ମଧ୍ୟ ଅନ୍ୟ ସମୟରେ ପୁରୀବାସୀ ଆଧାର କାର୍ଡ ଦେଖାଇଲେ ମଧ୍ୟ ସେମାନଙ୍କୁ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବାକୁ ଦିଆଯାଉନାହିଁ।

ତେଣୁ ଗୋଟିଏ କିମ୍ବା ଦୁଇ ଦିନର ସୁବିଧା ନୁହେଁ, ପୁରୀ ସହରବାସୀଙ୍କ ପାଇଁ ଆଧାର କାର୍ଡକୁ ପରିଚୟର ପ୍ରମାଣ ଭାବେ ଗ୍ରହଣ କରି ନିୟମିତ, ସ୍ପଷ୍ଟ ଓ ସ୍ଥାୟୀ ପ୍ରବେଶ-ଦର୍ଶନ ବ୍ୟବସ୍ଥା କରାଯିବା ଦରକାର।ମଞ୍ଚର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, “ଶ୍ରୀମନ୍ଦିରର ନୀତିକାନ୍ତି, ପରମ୍ପରା ଓ ଧାର୍ମିକ ବ୍ୟବସ୍ଥା ପ୍ରତି ଆମର ସମ୍ପୂର୍ଣ୍ଣ ସମ୍ମାନ ରହିଛି। ଆମର ଲଢ଼େଇ ସତ୍ୟ ଓ ଅହିଂସାର ପଥରେ। ଆଜିର ପ୍ରବେଶ ଆମ ପାଇଁ ଆଶାର ସଙ୍କେତ, କିନ୍ତୁ ଆମ ଲକ୍ଷ୍ୟ ସ୍ଥାୟୀ ସମାଧାନ। ସରକାରୀ ସ୍ତରରେ ସ୍ପଷ୍ଟ ବ୍ୟବସ୍ଥା ଘୋଷଣା ନହେବା ପର୍ଯ୍ୟନ୍ତ ସତ୍ୟାଗ୍ରହ ଜାରି ରହିବ।

ମଙ୍ଗଳବାର ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ବିଶ୍ୱନାଥ ମିଶ୍ର, ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ଜଗଦାନନ୍ଦ ରାୟ, ପ୍ରକାଶ ଚନ୍ଦ୍ର ନାୟକ, ନୃସିଂହନାଥ ନାୟକ, ସରସ୍ୱତୀ ପାତ୍ର, ଅରୁଣା ପଟ୍ଟନାୟକ, ସନ୍ଧ୍ୟାରାଣୀ ମିଶ୍ର, ମିନାକ୍ଷୀ ଦାସ, ବନିତା ଦିକ୍ଷୀତ, ମନୀଷା ପାତ୍ର, ଚିକି ସାହୁ, ବର୍ଷା ପଣ୍ଡା, ସୌମ୍ୟା ସାହୁ, ବୈଶାଳୀ ପ୍ରଧାନ, ସ୍ନେହା ଦାସ, ମମତା ସ୍ୱାଇଁ, ଅଭିମନ୍ୟୁ ରାୟଗୁରୁ, ମନୋରଞ୍ଜନ ରଣସିଂହ, ଶିଶିରକାନ୍ତ ଶତପଥୀ, ରମେଶ ଚନ୍ଦ୍ର ମହାନ୍ତି, ଯୁପିଟର ଦାସ, କିଶୋର ଚନ୍ଦ୍ର ଦାସ, ଅଭିମନ୍ୟୁ ପ୍ରଧାନ, କାହ୍ନୁଚରଣ ପ୍ରଧାନ, ସନ୍ତୋଷ ସେନାପତି, କାଶୀନାଥ ସାହୁ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ସାମିଲ ହୋଇଥିଲେ।୧୪୦ ଦିନ ଧରି ଅହିଂସାର ପଥରେ ଚାଲିଥିବା ଏହି ପଦଯାତ୍ରା ମାଧ୍ୟମରେ ପୁରୀବାସୀ ସ୍ଥାୟୀ ଓ ସମ୍ମାନଜନକ ଦର୍ଶନ ବ୍ୟବସ୍ଥା ପାଇଁ ନିଜ ଦାବି ଉପସ୍ଥାପନ କରିଆସୁଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ସତ୍ୟାଗ୍ରହ ଜାରି ରହିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।ପାଦ ଚାଲିବ ଅହିଂସାର ପଥରେ।ଦାବି ରହିବ ସ୍ଥାୟୀ ନ୍ୟାୟ ପାଇଁ।
