ପୁରୀ: ୫୨ତମ ଅନ୍ତଃଜିଲ୍ଲା ୨୦ ବର୍ଷରୁ କମ କବାଡ଼ି ପ୍ରତିଯୋଗିତା ୨୦୨୬ରେ ପୁରୀ ଜିଲ୍ଲା ବାଳିକା କବାଡ଼ି ଦଳ ଅସାଧାରଣ ଖେଳ ପ୍ରଦର୍ଶନ କରି ରାଜ୍ୟସ୍ତରରେ ରନର୍ସ-ଅପ ହେବାର ଗୌରବ ଅର୍ଜନ କରିଛି।ପ୍ରତିଯୋଗିତାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପୁରୀ ଦଳର ଖେଳାଳିମାନେ ଦମଦାର ଓ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଦର୍ଶକ ଓ କ୍ରୀଡ଼ାପ୍ରେମୀଙ୍କ ମନ ଜିଣିଥିଲେ।ଫାଇନାଲ ମ୍ୟାଚରେ ମଧ୍ୟ ପୁରୀ ଦଳର ଖେଳାଳିମାନେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବିଜୟ ପାଇଁ ଲଢ଼େଇ ଜାରି ରଖିଥିଲେ। ଚମ୍ପିୟାନ ହେବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ମଧ୍ୟ ରନର୍ସ-ଅପ ସଫଳତା ପୁରୀ ଜିଲ୍ଲାର କ୍ରୀଡ଼ା ଜଗତ ପାଇଁ ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଛି।ଏହି ସଫଳତାରେ ନିତା ସ୍ପୋର୍ଟସ ଏକାଡେମୀର ୬ ଜଣ ଖେଳାଳି ପୁରୀ ଜିଲ୍ଲା ବାଳିକା ଦଳରେ ସାମିଲ ହୋଇ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି। ଏକାଡେମୀର ଖେଳାଳିମାନଙ୍କ ଏହି ସଫଳତା ନିତା ସ୍ପୋର୍ଟସ ଏକାଡେମୀ ପାଇଁ ମଧ୍ୟ ଗର୍ବର ବିଷୟ ହୋଇଛି। ପ୍ରତିଯୋଗିତାରେ ସୁନ୍ଦରଗଡ଼ ଜିଲ୍ଲା ଚମ୍ପିୟାନ ହୋଇ ଟ୍ରଫି ସହ ୩୦,୦୦୦ ଟକାଂ ପୁରସ୍କାର ପାଇଥିବା ବେଳେ ପୁରୀ ଜିଲ୍ଲା ରନର୍ସ-ଅପ ହୋଇ ଟ୍ରଫି ସହ ୨୦,୦୦୦ଟକାଂ ପୁରସ୍କାର ହାସଲ କରିଛି।ପୁରୀ ଜିଲ୍ଲାର ବାଳିକା କବାଡ଼ିରେ ଏହି ସଫଳତା ଏକ ନୂଆ ଆଶା ସୃଷ୍ଟି କରିଛି। ବିଶେଷକରି ମୁଖ୍ୟମନ୍ତ୍ରୀ କ୍ରୀଡ଼ା ମହୋତ୍ସବ ୨୦୨୬ରେ ପୁରୀ ଜିଲ୍ଲାର ୧୭ ବର୍ଷରକମ ବାଳିକା କବାଡ଼ି ଦଳ ଚମ୍ପିୟାନ ହୋଇଥିବା ପରେ ଏହି ରନର୍ସ-ଅପ ସଫଳତା ପୁରୀର ବାଳିକା କବାଡ଼ିର ଉଜ୍ଜ୍ୱଳ ଭବିଷ୍ୟତକୁ ଆହୁରି ସୁଦୃଢ଼ କରିଛି।ଦଳର ଏହି ସଫଳତା ପାଇଁ କୋଚ ସରସ୍ୱତୀ ବେହେରା, ରଶ୍ମିତା ଓଝା, ସେଫାଳି ପତି, ସନ୍ତୋଷ ସେଠୀ, ନିସାର ଅଲ୍ଲୀ ଖାଁ ଓ ଜିତେନ୍ଦ୍ର ବେହେରାଙ୍କୁ କ୍ରୀଡ଼ାପ୍ରେମୀ ମହଲରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି। କୋଚମାନଙ୍କ ନିରନ୍ତର ପ୍ରଶିକ୍ଷଣ, ଖେଳାଳିମାନଙ୍କ କଠିନ ପରିଶ୍ରମ ଓ ଦଳୀୟ ଏକତା ଏହି ସଫଳତାର ମୁଖ୍ୟ ଆଧାର ବୋଲି କୁହାଯାଇଛି।ଏହି ଗୌରବମୟ ସଫଳତା ପାଇଁ ପୁରୀ ଜିଲ୍ଲା ବାଳିକା କବାଡ଼ି ଦଳର ଖେଳାଳିମାନେ ନିତା ସ୍ପୋର୍ଟସ ଏକାଡେମୀର ଚେୟାରମ୍ୟାନ୍ ଇଂ. ସୁବ୍ରତ ଦାସ, ଭାଇସ ଚେୟାରମ୍ୟାନ ଅରୁଣ କୁମାର ତ୍ରିପାଠୀ ଓ ସମ୍ପାଦକ ସତ୍ୟବ୍ରତ ଷଡ଼ଙ୍ଗୀଙ୍କୁ କୃତଜ୍ଞତା ଜଣାଇଛନ୍ତି।ଏକାଡେମୀ ପକ୍ଷରୁ ଦୀପକ କୁମାର ଦାସ, ଭଗବାନ ପଢ଼ିଆରୀ, ଗାୟତ୍ରୀ ସେଠୀ ଓ ଅଭିମନ୍ୟୁ ଶତପଥୀ ମଧ୍ୟ ଦଳର ସମସ୍ତ ଖେଳାଳି ଓ କୋଚମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେମାନେ ପୁରୀ ଆଥଲେଟିକ ଆସୋସିଏସନର ସମ୍ପାଦକ ରବି ଶଙ୍କର ପତିହାରୀ, ପୁରୀ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ଏବଂ ପୁରୀ ଜିଲ୍ଲା ସ୍କୁଲର କ୍ରୀଡ଼ା ଶିକ୍ଷକ ରଞ୍ଜନ ରେଡ୍ଡୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।ପୁରୀ ଜିଲ୍ଲାର ମାଟିରୁ ଉଦୀୟମାନ ବାଳିକା କବାଡ଼ି ଖେଳାଳିମାନଙ୍କ ଏହି ଲଗାତାର ସଫଳତା ଆଗାମୀ ଦିନରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରୀର ଖେଳାଳିମାନଙ୍କୁ ନୂଆ ପରିଚୟ ଦେବ ବୋଲି କ୍ରୀଡ଼ାପ୍ରେମୀମାନେ ଆଶା ପ୍ରକାଶ କରିଛନ୍ତି।
