ପୁରୀ: ଭାଇଚାରାର ସୌହାର୍ୟ୍ୟ ନେଇ ଆଡ଼ମ୍ବରରେ ଫେରିଛି ସାହିଯାତ । ବୀରବାଦ୍ୟରେ, ନାଗାଠାଣିରେ ଦୁଲୁକିଛି ଦାଣ୍ଡ ।ଚନ୍ଦନ ଓ ମଲ୍ଲୀଫୁଲିଆ ଅତରରେ ମହକୁଛି ସାହି ସମରକଳା, ଲୋକକଳା, ଲୋକନୃତ୍ୟ, ଲୋକବାଦ୍ୟ ଓ ଲୋକଗୀତର ଏହି ସର୍ବବୃହତ୍ ମୁକ୍ତାକାଶ ଯାତ୍ରାରେ ବିଭୋର ହୋଇଛନ୍ତି ସାହି ବାସିନ୍ଦା । ଶ୍ରୀମନ୍ଦିରରୁ କାଳିକାଦେବୀ ସାହି ମେଳ ଚରୁ ଅନ୍ନ ଗ୍ରହଣ କରିବା ପରେ ସାହିଯାତର ଆଦ୍ୟପର୍ବ ରାମ ଜନ୍ମଲୀଳା ପ୍ରଦର୍ଶିତ ହୋଇଛି।

ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥିଲା । ସୁଧସୁଆର ଭଣ୍ଡାର ଆଗରେ ପୋଛା ମାରିବା ପରେ ପୂଜାପଣ୍ଡା ସାମନ୍ତ ପଞ୍ଚୁବର୍ଣ୍ଣ ମୁରୁଜରେ ଜନ୍ମମଣ୍ଡଳ କାଟିଥିଲେ । ମଧ୍ୟାହ୍ନ ଧୂପ ସରିବା ପରେ ଦକ୍ଷିଣି ଘର ଭୋଗ ସାରି ଶ୍ରୀରାମଚନ୍ଦ୍ର ବିଗ୍ରହଙ୍କୁ ମହାଜନ ସେବକମାନେ ରତ୍ନ ସିଂହାସନରେ ବିଜେ କରାଇଥିଲେ ।ଗଣ୍ଡମାଳ ଜାଗାରୁ ଶ୍ରୀରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଓ ଋଷ୍ୟଶୃଙ୍ଗ ବାହାରି ଶ୍ରୀମନ୍ଦିରକୁ ଯାଇଥିଲେ ।

ପରେ ରଥରେ ସବାର ହୋଇ ସାହି ପରିକ୍ରମା କରିଥିଲେ ।ଏଣେ ଶ୍ରୀମନ୍ଦିରରେ ମହାଜନ ସେବକଙ୍କ ପକ୍ଷରୁ ଦୁଇଜଣ ଦଶରଥ ଓ କୌଶଲ୍ୟା ଭୂମିକାରେ ଅଭିନୟ କରିଥିଲେ ।ଏହି ଅବସରରେ ଚାରିପଟେ ଖଣ୍ଡୁଆପାଟ ଘୋଡ଼ାଯାଇ ଜନ୍ମ ବିଧି କରାଯାଇଥିଲା ।ମହାସୁଆର ସେବକ ଗଣ୍ଡୁଶ ମସଲା ଓ କ୍ଷୀର ମଣୋହି କରିଥିଲେ । ମହାସୁଆର ଜୟ ବିଜୟ ଦ୍ୱାରଠାରେ ଚରୁ ଭାତ ମଣୋହି କରିଥିଲେ ।ସେଇ ଚରୁଅନ୍ନ କାଳିକାଦେବୀ ସାହି ମେଳ ଗ୍ରହଣ କରିବା ପରେ ସାହିଯାତର ରାମ ଜନ୍ମଲୀଳା ଆରମ୍ଭ ହୋଇଥିଲା ।ରାତି ୯ଟା ପରେ ଦକ୍ଷିଣକାଳୀ ଆଖେଡ଼ାରୁ ଯାତ ପଟୁଆର ବାହାରିଥିଲା

ଶ୍ରୀରାମ ଭୂମିକାରେ ଆଦିତ୍ୟ ପଣ୍ଡା, ଲକ୍ଷ୍ମଣ ଭୂମିକାରେ ଦେବରାଜ ମହାନ୍ତି, ଭରତ ଭୂମିକାରେ ଦେବାଂଶ ଦୀକ୍ଷିତ ,ଶତୃଘ୍ନ ଭୂମିକାରେ ଜଗନ୍ନାଥ ମିଶ୍ରଙ୍କ ସମେତ ଅନ୍ୟ ଭୂମିକାରେ ମାନସ କୁମାର ଦାଶଙ୍କୁ ଦେଖିବାକୁ ମିଳିଛି ।ଏଥିସହ ନରଶିରା, ବୀରକର୍ଣ୍ଣ, ନୃସିଂହ, କାଳୀ ମେଢ଼ ସମେତ ସମରକଳା ପରିବେଷଣ ଦେଖିବାକୁ ମିଳିଥିଲା । ମେଢ଼ ସମେତ ତରବାରୀ ଚାଳନା, କାଠି ଚାଳନା, ନିଆଁ ବନାଟି, ଫୁଲମେଡ଼ ଯାତର ଆକର୍ଷଣ ବଢ଼ାଇଥିଲା ।ଏକ ଦଳ ସମରକଳା ପ୍ରଦର୍ଶନ କରିଥିଲେ। ଦକ୍ଷିଣକାଳୀ-କାକୁଡ଼ିଖାଇ-ନବାଦଖାନା ଗଳି-ଉତ୍ତରକାଳୀ ଆଖଡ଼ା ପର୍ଯ୍ୟନ୍ତ ଯାତ୍ରା କରି ଲେଉଟାଣି କରିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ଯାତ ଦେଖିବା ପାଇଁ ସାହିମାନଙ୍କରେ ବିଳମ୍ବିତ ରାତି ଯାଏ ଚାହିଁ ରହିଥିବା ଦେଖିବାକୁ ମିଳିଥିଲା ।
