ନୂଆଦିଲ୍ଲୀ: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର)ରେ ବର୍ତ୍ତମାନ ଦୁଇଟି ବିମାନବନ୍ଦ ରହିଥିବା ବେଳେ ଏଥିରେ ଯୋଡ଼ି ହୋଇଛି ଆଉ ଏକ ବିମାନ ବନ୍ଦର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଗୌତମ ବୁଦ୍ଧ ନଗରର ଜେୱାରରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦ୍ଘାଟନ କରିଛନ୍ତି। ଏହାକୁ ସେ “ଭାରତର ନୂତନ ଆତ୍ମା’ର ପ୍ରତୀକ ବୋଲି କହିଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମ ମୋହନ ନାଇଡୁ ଏବଂ ଅନେକ ରାଜ୍ୟ ମନ୍ତ୍ରୀ ମଧ୍ୟ ଉତ୍ସବରେ ଉପସ୍ଥିତ ଥିଲେ। ୧୧,୨୮୨ କୋଟି ଟଙ୍କା ବ୍ୟୟରେ ଏହି ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟ ନିର୍ମାଣ ଶେଷ ହୋଇଛି। ଏହାର ଅନ୍ୟନାମ ଜେୱାର ବିମାନବନ୍ଦର। ବିମାନ ବନ୍ଦରରେ ମୋଟ ୨୯,୫୬୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏହାକୁ ଏକ ପ୍ରମୁଖ ବିଶ୍ୱ ପ୍ରବେଶ ପଥ ଭାବରେ କଳ୍ପନା କରାଯାଇଛି, ଯାହା ପଶ୍ଚିମ ଉତ୍ତର ପ୍ରଦେଶ ଏବଂ ଏହି ଅଞ୍ଚଳର କିଛି ଅନ୍ୟ ଅଂଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବିକଳ୍ପ ପ୍ରଦାନ କରୁଛି। ଯାତ୍ରୀମାନେ ଏ ପର୍ଯ୍ୟନ୍ତ କେବଳ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ନିର୍ଭର କରୁଥିଲେ। ଆସନ୍ତା ମାସରୁ ଏଠାରେ ବାଣିଜ୍ୟିକ କାର୍ଯ୍ୟ ଆରମ୍ଭ କରିବ ବୋଲି ଜଣାପଡ଼ିଛି।
