ଭଂଜନଗର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଲେ, ଭଞ୍ଜନଗର ଜଳସେଚନ ବିଭାଗର ଡହ – ଏସଡିଓ ପଞ୍ଚୁ ବେହେରା । ଭଂଜନଗର କାର୍ଯ୍ୟାଳୟ ସମେତ ସରକାରୀ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଚଢ଼ାଉ କରିଥିଲା । ଏକା ସମୟରେ ୫ଟି ସ୍ଥାନରେ ଚଢାଉ କରାଯାଇଥିଲା । ଏହି ସମୟରେ ତାଙ୍କ ଘରୁ ନଗଦ ୧୮ ଲକ୍ଷ ୯୦ ହଜାର ଟଙ୍କା, ୫୭ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ କଂକ୍ରିଟ ମିଶ୍ରଣ ମେଶିନ, ୩୭ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ ଜେସିବି ମେଶିନ, ଗୋଟିଏ ଚାରି ଚକିଆ (ହୁଣ୍ଡାଇ ଆଇ-୨୦) କାର୍ ଏବଂ ୩ଟି ଦୁଇ ଚକିଆ ଯାନ ଜବତ ହୋଇଥିଲା । ସେହିଭଳି ବ୍ରହ୍ମପୁର ସହରରେ ଥିବା ଗୋଟିଏ ବହୁମହଲା ବିଶିଷ୍ଟ କୋଠା, ୫ଟି ମୂଲ୍ୟବାନ ପ୍ଲଟ ମଧ୍ୟ ଠାବ କରାଯାଇଥିଲା । ଏହାବ୍ୟତୀତ ତାଙ୍କ ନିଜ ବାସଭବନରୁ ପୁଳାପୁଳା ସୁନା ଗହଣା ମଧ୍ୟ ମିଳିଛି । ବ୍ୟାଙ୍କ, ପୋଷ୍ଟାଲ ଜମା ଏବଂ ଅନ୍ୟାନ୍ୟ ଆର୍ôଥକ ନିବେଶ ବିଷୟରେ ମଧ୍ୟ ଯାଞ୍ଚ କରାଯାଇଥିଲା । ଏହି ଚଢାଉରେ ଭିଜିଲାନ୍ସର ୩ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ସହ ଅନ୍ୟାନ୍ୟ କର୍ମଚାରୀ ମିଳିତ ଭାବେ ଚଢ଼ାଉ କରିଥିଲେ । ବ୍ରହ୍ମପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଗଞ୍ଜାମ ଜିଲାର ୫ଟି ସ୍ଥାନରେ ଏକା ସମୟରେ ଚଢାଉ ହୋଇଥିଲା । ସେଗୁଡ଼ିକ ହେଲା ବ୍ରହ୍ମପୁର ବସନ୍ତ ବିହାର ସ୍ଥିତ ବାସଗୃହ, ଭଞ୍ଜନଗର ସରକାରୀ ବାସଭବନ, ଭଞ୍ଜନଗର କାର୍ଯ୍ୟାଳୟ, ପୋଲସରା ର ପୈତୃକ ଘର, ବ୍ରହ୍ମପୁରରେ ଥିବା ଆତ୍ମୀୟଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ ।
