ପୁରୀ: ଆସନ୍ତାକାଲି ସୋମବାର ଶ୍ରାବଣ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କ ଶ୍ରୀପୟର ସୁରକ୍ଷା ପାଇଁ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଆପାତତ ସଂଧ୍ଯା ୬ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଏକ ସ୍ୱତନ୍ତ୍ର ଗୁପ୍ତ ସେବା ନୀତି । ଏହି ନୀତିରେ ମହାପ୍ରଭୁଙ୍କ ଶ୍ରୀପୟରକୁ ସ୍ୱତନ୍ତ୍ର ଧଳା କପଡାରେ ଘୋଡା ଯାଇଥାଏ । ଶ୍ରୀପୟର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ଏହି ନୀତି ଅନୁଷ୍ଠିତ ହେବ । ବର୍ଷକୁ ଦୁଇ ରୁ ତିନିଥର ଏହି ନୀତି ଅନୁଷ୍ଠିତ ହୋଇଥାଏ । ନୀତି ସମାପନ ହେବା ପରେ ଠାକୁରଙ୍କୁ ମହାସ୍ନାନ ନୀତି ଅନୁଷ୍ଠିତ ହେବ । ଦଇତାପତି ସେବକ ମାନେ ଏହି ନୀତି ସମାପନ କରିବେ । ରବିବାର ଦିନ ଦେଉଳକରଣ ସେବକ ଧଳା କନା ଧୋଇ ଶୁଖାଇ ଶ୍ରୀମନ୍ଦିର ଗାରଦରେ ଜମା ଦେଇଛନ୍ତି । ମହାପ୍ରଭୁଙ୍କ ମହାସ୍ନାନ ପରେ ସର୍ବ ସାଧାରଣ ଦର୍ଶନ ଅନୁଷ୍ଠିତ ହେବ ।
