ବାରିପଦା; ରାଇରଙ୍ଗପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗ୍ରାମ କଲୋନୀ ସାହିରେ ଏକ ନିର୍ମାଣଧୀନ ଆବାସ ଘର ମଧ୍ୟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ବାଢୁଣିଆ କଲୋନୀ ସାହିର ୪୦ ବର୍ଷୀୟ ଅବିବାହିତ ଯୁବକ ଶିରିଶ ପଟେଲ ଓରଫ ମାଳି । ଏହି ଘଟଣାକୁ ନେଇ ବିଶୋଇ ଥାନାରେ କେସନଂ ୧୭୮/୨୬ ମୂଳେ ଏକ ମାମଲା ରୁଜ୍ଜୁ ହୋଇଥିବା ବେଳେ ହତ୍ୟା ସନ୍ଦେହରେ ଉକ୍ତ ଗ୍ରାମର ଜଣେ ବୃଦ୍ଧକୁ ପୋଲିସ ଥାନାରେ ଅଟକ ରଖି ପଚାରାଉଚରା ଜାରି ରଖିଛି । ସୂଚନା ମୁତାବକ ବାଢୁଣିଆ କଲୋନିସାହି ଗ୍ରାମରେ ବାପା ମାଆ ଛେଉଣ୍ଡ ଶିରିଶ ଦିନ ମଜୁରିଆ କାମ ନଚେତ କୌଣସି ଭୋଜି ଭାତ ହେଲେ ଖଲି ପତ୍ର ଉଠାଇ ନିଜ ପେଟ ପୋଷିଥାନ୍ତି । ଶିରିଶଙ୍କ ନିଜ ବାସଗୃହ ନଥିବା ବେଳେ ଗ୍ରାମର କ୍ଲବ ବାରଣ୍ଡା ନଚେତ ଅନ୍ୟ ଲୋକଙ୍କ ଘର ପିଣ୍ଡାରେ ରାତି କଟେ । ସବୁଦିନ ଭଳି ଗତକାଲି ରାତ୍ରି ସମୟରେ ଶିରିଶ ଗ୍ରାମରେ ଅନୁଷ୍ଠିତ ଏକାଦଶାହ କାର୍ଯ୍ୟକ୍ରମରେ ନିଜ କାମ କରି ସାହି ନିକଟରେ ଥିବା ଏକ ଅର୍ଦ୍ଧନିର୍ମିତ ଘରେ ଶୋଇଥିଲେ । ସକାଳେ ସ୍ଥାନୀୟ ବାସିନ୍ଦା ଶିରିଶଙ୍କ ମୁଣ୍ଡରେ ଗଭୀର କ୍ଷତାକ୍ତ ଥିବା ରକ୍ତ ଜୁଡୁବୁଡୁ ମୃତ ଦେହ ଉକ୍ତ ଘର ମଧ୍ୟରେ ଦେଖିବାକୁ ପାଇଥିଲେ । ପରେ ଉକ୍ତ ଘରର ମାଲିକ ଏନେଇ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖବରପାଇ ରାଇରଙ୍ଗପୁର ଏସ.ପି ସୁରେଶ ପାତ୍ର, ରାଇରଙ୍ଗପୁର ଏସ.ଡ଼ି.ପି.ଓ. ବିରେନ୍ଦ୍ର ସେନାପତି, ବିଶୋଇ ଥାନା ଆଇ.ଆଇ.ସି ସୁବର୍ଣ୍ଣ ବେହେରା, ଏସ.ଆଇ ରଶ୍ମିତ ଦାସ ଏବଂ ଏସ.ଆଇ ବିବେକାନନ୍ଦ ବେହେରା ଙ୍କ ସମେତ ପୋଲିସ ଟିମ ସହିତ ଫରେନସିକ ଟିମ ସଦଳେବଳ ମିଶି ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ମୃତକ ଯୁବକର ମୁଣ୍ଡର ପଛପଟ ସ୍ଥାନରେ ଗଭୀର ଆଘାତ ଥିବାବେଳେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ହତ୍ୟା ସନ୍ଦେହରେ ଉକ୍ତ ଗ୍ରାମର ଜଣେ ବୃଦ୍ଧକୁ ପୋଲିସ ଥାନାରେ ଅଟକ ରଖି ପଚାରାଉଚରା ଜାରି ରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଅଧିକ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଏସ.ଡ଼ି.ପି.ଓ. ଶ୍ରୀ ସେନାପତି ସୂଚନା ଦେଇଛନ୍ତି । ଶିଶିରଙ୍କ ପରିବାରରେ କେହି ନଥିବାବେଳେ ଶବ ବ୍ୟବଚ୍ଛେଦ ପରେ ସରକାରଙ୍କ ପକ୍ଷରୁ ଅନ୍ତିମ ସଂସ୍କାର କରିବା ପାଇଁ ସ୍ଥାନୀୟ ଗ୍ରାମବାସୀ ମାନେ ଦାବି କରିଛନ୍ତି ।
