ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ସହରବାସୀଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରବେଶ ଓ ଦର୍ଶନ ବ୍ୟବସ୍ଥା ଦାବିରେ ଚାଲିଥିବା ନୀରବ ସତ୍ୟାଗ୍ରହ ପଦଯାତ୍ରା ଆଜି ୧୩୩ତମ ଦିନରେ ପହଞ୍ଚିଛି। ଗତ ଅପ୍ରେଲ ୧, ଉତ୍କଳ ଦିବସ ଠାରୁ ପୁରୀ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରୁ ପ୍ରତ୍ୟହ ନୀରବ ପଦଯାତ୍ରା ନିରବଚ୍ଛିନ୍ନ ଭାବେ ଜାରି ରହିଛି। ପୁରୀବାସୀଙ୍କ ଦାବି ହେଉଛି, ଶ୍ରୀମନ୍ଦିରରେ ପୂର୍ବପରି ପୁରୀ ସହରବାସୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ସୁବିଧା ପୁନଃସ୍ଥାପନ କରାଯାଉ। ଏହି ଦାବିକୁ ନେଇ ୧୩୩ ଦିନ ଧରି ନୀରବତା, ଶାନ୍ତି ଓ ଅହିଂସାର ପଥରେ ସତ୍ୟାଗ୍ରହ ଜାରି ରହିଛି। ମଞ୍ଚର ପଦଯାତ୍ରୀ ସତ୍ୟାଗ୍ରହୀମାନଙ୍କ କହିବା ଅନୁଯାୟୀ ଗତ ଜୁନ ୨୩ ତାରିଖରେ ରଥଯାତ୍ରା ଦ୍ୱିତୀୟ ସମନ୍ୱୟ ବୈଠକରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପୁରୀବାସୀଙ୍କ ପାଇଁ ଆଧାର କାର୍ଡ ମାଧ୍ୟମରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ମନ୍ତ୍ରୀଙ୍କ ଏହି କଥାକୁ ପାଥେୟ କରି ପୁରୀବାସୀ ଆଶା ଓ ବିଶ୍ୱାସର ସହ ଅପେକ୍ଷା କରିଆସିଛନ୍ତି। ରଥଯାତ୍ରା ସମାପ୍ତ ହୋଇଥିଲେ ମଧ୍ୟ ଘୋଷିତ ବ୍ୟବସ୍ଥା ଏଯାଏଁ କାର୍ଯ୍ୟକାରୀ ହୋଇନଥିବାରୁ ପୁରୀବାସୀଙ୍କ ମଧ୍ୟରେ ନିରାଶା ପ୍ରକାଶ ପାଇଛି। ମନ୍ତ୍ରୀଙ୍କ ଘୋଷଣାକୁ ପାଥେୟ କରି ଏବଂ ପୁରୀବାସୀଙ୍କ ଦୀର୍ଘଦିନର ଦାବିକୁ ସମ୍ମାନ ଦେଇ ଘୋଷିତ ବ୍ୟବସ୍ଥାକୁ ତୁରନ୍ତ ବାସ୍ତବ ରୂପ ଦେବା ପାଇଁ ପୁରୀ ସହରବାସୀଙ୍କୁ ସ୍ୱତନ୍ତ୍ର ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଞ୍ଚ ପକ୍ଷରୁ ସର୍ବସମ୍ମତି କ୍ରମେ ନୂଆ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ୧୨ ଅଗଷ୍ଟରୁ ପ୍ରତ୍ୟହ ସନ୍ଧ୍ୟା ସମୟରେ ପୁରୀବାସୀ ନିଜ ଆଧାର କାର୍ଡ ଦେଖାଇ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ପଟେ ପ୍ରବେଶ ପାଇଁ ଅହିଂସାମୂଳକ ଭାବେ ପ୍ରୟାସ କରିବେ।

ଏହି ପ୍ରୟାସ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଓ ଅହିଂସାମୂଳକ ରହିବ। କୌଣସି ପ୍ରକାରର ଉତ୍ତେଜନା, ବିଶୃଙ୍ଖଳା କିମ୍ବା ବିବାଦରେ ନଯାଇ ଶାନ୍ତି, ସଂଯମ ଓ ଅହିଂସାକୁ ମାର୍ଗ ଭାବେ ଅନୁସରଣ କରାଯିବ। ଏଥିସହ ନୀରବ ସତ୍ୟାଗ୍ରହ ପଦଯାତ୍ରା ମଧ୍ୟ ପୂର୍ବପରି ନିରବଚ୍ଛିନ୍ନ ଭାବେ ଜାରି ରହିବ। ମଙ୍ଗଳବାର ନୀରବ ସତ୍ୟାଗ୍ରହ ପଦଯାତ୍ରାରେ ସର୍ବଶ୍ରୀ ଶିବସୁନ୍ଦର ମିଶ୍ର, ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ବିଶ୍ୱନାଥ ମିଶ୍ର, ସୁକାନ୍ତ ପଣ୍ଡା, କାହ୍ନୁଚରଣ ପ୍ରଧାନ, ଦୁର୍ଗା ଚରଣ ମିଶ୍ର, ଅରୁଣା ପଟ୍ଟନାୟକ, ମମତା ଦାସ, ବନିତା ଦିକ୍ଷୀତ, ପ୍ରୀତ ରାଉତ, ସୌମ୍ୟା ସାହୁ, ରୁପା ବେହେରା, ବୈଶାଳୀ ପ୍ରଧାନ, ରଶ୍ମିତା ଦଳେଇ, ବର୍ଷା ପଣ୍ଡା, ରିତିକା ପ୍ରଧାନ, ସୁଭଦ୍ରା ସାହୁ, ଦୀପା ବେହେରା, ଶୁଭଶ୍ରୀ ମହାରଣା, ମମତା ସ୍ୱାଇଁ, ଅଭିମନ୍ୟୁ ପ୍ରଧାନ, ଲିଙ୍ଗରାଜ ସାହୁ, ନୃସିଂହନାଥ ନାୟକ, ପ୍ରକାଶ ଚନ୍ଦ୍ର ନାୟକ, ଯାଦବାନନ୍ଦ ରାୟ, ମନୋରଞ୍ଜନ ରଣସିଂହ, ଶିଶିରକାନ୍ତ ଶତପଥୀ, କିଶୋର ଚନ୍ଦ୍ର ଦାସ, ପ୍ରଫୁଲ୍ଲ କୁମାର ସାହୁ, ମାନସ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ। ମଞ୍ଚର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, ୧୩୩ ଦିନ ଧରି ଆମେ ନୀରବ ରହିଛୁ, କିନ୍ତୁ ଆମର ଦାବି ନୀରବ ହୋଇନାହିଁ। ଆମେ କାହାରି ବିରୋଧୀ ନୁହେଁ। ଗତ ଜୁନ ୨୩ ତାରିଖରେ ମାନ୍ୟବର ଆଇନ ମନ୍ତ୍ରୀ ପୁରୀବାସୀଙ୍କ ପାଇଁ ଆଧାର କାର୍ଡ ମାଧ୍ୟମରେ ସ୍ୱତନ୍ତ୍ର ପ୍ରବେଶ ଓ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ଯେଉଁ କଥା କହିଥିଲେ, ସେହି କଥାକୁ ଆମେ ପାଥେୟ କରିଛୁ। ଆମର ବିଶ୍ୱାସ, ସରକାର ନିଶ୍ଚୟ ପୁରୀବାସୀଙ୍କ ଭାବନାକୁ ସମ୍ମାନ ଦେବେ ଏବଂ ମନ୍ତ୍ରୀଙ୍କ ଘୋଷଣାକୁ କାର୍ଯ୍ୟକାରୀ କରିବେ। ଆସନ୍ତାକାଲି ୧୨ ଅଗଷ୍ଟରୁ ନିରବଚ୍ଛିନ୍ନ ଭାବରେ ପ୍ରତ୍ୟହ ସନ୍ଧ୍ୟାରେ ପୁରୀବାସୀ ଆଧାର କାର୍ଡ ଦେଖାଇ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ପଟେ ଅହିଂସାମୂଳକ ଭାବେ ପ୍ରବେଶ ପାଇଁ ପ୍ରୟାସ କରିବେ। ଏହା କାହାରି ବିରୋଧରେ ନୁହେଁ; ଏହା ଆମର ଅଧିକାର ଓ ଭାବନାର ଏକ ଶାନ୍ତିପୂର୍ଣ୍ଣ ପ୍ରକାଶ। ଏହି ପ୍ରୟାସରେ ଶାନ୍ତି, ସଂଯମ ଓ ଅହିଂସା ହିଁ ଆମର ମାର୍ଗ। ଯେପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ଓ ଦର୍ଶନ ବ୍ୟବସ୍ଥା ପୁନଃସ୍ଥାପିତ ହୋଇନାହିଁ, ସେପର୍ଯ୍ୟନ୍ତ ସତ୍ୟ ଓ ଅହିଂସାର ଏହି ଯାତ୍ରା ଜାରି ରହିବ। ପାଦ ଚାଲିବ ଅହିଂସାର ପଥରେ। ନୀରବତା କହିବ ନ୍ୟାୟର କଥା। ଆଶା ରହିବ ମହାପ୍ରଭୁଙ୍କ ଦର୍ଶନର।
