ହିନ୍ଦୋଳ: ହିନ୍ଦୋଳ ଉପଖଣ୍ଡ ଡିହସାହିର ଜଣେ ଯୁବଇଞ୍ଜିନିୟରଙ୍କ ମୃତ୍ୟୁକୁ ନେଇ ହିନ୍ଦୋଳ ସ୍ତବ୍ଧ ହୋଇଯାଇଛି। ସୂଚନା ମୁତାବକ ବାଉଁଶପୋଖରୀ ପଞ୍ଚାୟତ ଅନ୍ତର୍ଗତ ନୂଆକୋଟ ଡ଼ିହସାହି ଗ୍ରାମର ଜିତେନ୍ଦ୍ର ବେହେରାଙ୍କ ବଡପୁଅ ଶକ୍ତିପ୍ରସାଦ ବେହେରା(୨୧) ଚେନ୍ନାଇର ଏକ କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ଶନିବାର ଚେନ୍ନାଇରୁ ଟ୍ରେନ୍ ଯୋଗେ ଶକ୍ତି ନିଜ ଘରକୁ ଫେରୁଥିବା କଥା ଦିନ ୧୧ଟା ସମୟରେ ନିଜ ମାଆକୁ ଫୋନକରି କହିଥିଲେ। ଆଉ ଆଜି ରାତି ସୁଦ୍ଧା ଘରେ ପହଞ୍ଚିବି ବୋଲି ମଧ୍ୟ କହିଥିଲେ। କିନ୍ତୁ ବଡ଼ ଦୁଃଖର ବିଷୟ କି ପୁଅ କେତେବାଟ ଆସିଲା ମାଆ ଫୋନ୍ କଲାବେଳକୁ ପୁଅ ଆଉ ଫୋନ୍ ଉଠାଇନଥିଲା। ବାରମ୍ବାର ପୁଅକୁ ଫୋନ୍ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ। ଫଳରେ ପରିବାରଲୋକେ ଚିନ୍ତାରେ ପଡ଼ି ଯାଇଥିଲେ। କିନ୍ତୁ ହଠାତ୍ ୫ଟା ପରେ ବ୍ରହ୍ମପୁର ରେଳଷ୍ଟେସନରୁ ଫୋନ୍ ଆସିଥିଲା ଯେ ଟ୍ରେନ୍ ତଳେ ଚାପିହୋଇ ଶକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଖବର ଶୁଣି ପରିବାରଲୋକେ ସଂପୂର୍ଣ୍ଣ ଭାଙ୍ଗିପଡିଥିଲେ। ଏହି ଖବର ପ୍ରଘଟ ହେବାପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା଼ । ଶକ୍ତିଙ୍କ ଦିବ୍ୟାଙ୍ଗ ବାପା ଜଣେ ୨୧ ବର୍ଷର ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି। ବିଶେଷକରି ପୁତୁରାକୁ ହରାଇ ଯୁବ ସାମ୍ବାଦିକ ସୁଜିତ୍ କୁମାର ବେହେରା ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ବ୍ରହ୍ମପୁରରେ ଶକ୍ତିଙ୍କ ଶବ ବ୍ୟବଚ୍ଛେଦ ହେବାପରେ ରବିବାର ସନ୍ଧ୍ୟା ସମୟରେ ନିଜ ଗ୍ରାମକୁ ଆଣି ଶବ ସଂସ୍କାର କରାଯାଇଛି ?। ଶକ୍ତିଙ୍କୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଶତାଧିକ ଲୋକ ଗ୍ରାମରେ ପହଞ୍ଚି ଯାଇଥିଲେ। ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଶକ୍ତି ଜଣେ ମେଳାପୀ ଓ ପରୋପକାରୀ ଯୁବକ ଥିଲେ।
