ବାଲିଗୁଡ଼ା: ଆମ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ “ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ବହୁ ଆଡମ୍ବର ପୂର୍ଣ୍ଣ ସହକାରେ ପାଳିତ ହୋଇଯାଇଛି । ଏହି ମେଳାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନନୀୟ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ପ୍ରଧାନ,ଅଧ୍ୟକ୍ଷ ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିଗୁଡ଼ା ମହୋଦୟ ସଦୟ ଯୋଗଦାନ ପୂର୍ବକ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଇତ୍ୟବସରରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଫେସର କାର୍ତ୍ତିକ ଚନ୍ଦ୍ର ସି ମହୋଦୟ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ବିଜ୍ଞାନର ମହତ୍ୱ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ । ଏହି ମେଳାରେ ବାଲିଗୁଡ଼ା ସଙ୍କୁଳର ୫ଟି ଶିଶୁ ମନ୍ଦିରର ସମସ୍ତ ପ୍ରଧାନ ଆଚାର୍ଯ୍ୟ ତଥା ସଙ୍କୁଳ ପ୍ରମୁଖ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ ମହୋଦୟ ସଦୟ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୂଚାରୁରୂପେ କିପରି ଆଗକୁ ବଢିବ ତା’ର ତଦାରଖ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୧୬୦ ଶିଶୁ ବିଭିନ୍ନ ପ୍ରତିଯୋଗିତା ଯେପରି ବିଜ୍ଞାନ ଓ ଗଣିତ ପ୍ରକଳ୍ପରେ ୩୫,ବିଜ୍ଞାନ ଓ ଗଣିତ ପ୍ରୟୋଗରେ ୨୦ ସଂସ୍କୃତିଜ୍ଞାନ,ବିଜ୍ଞାନ ଓ ଗଣିତ ପ୍ରଶ୍ନମଞ୍ଚରେ ୭୫,ମୂର୍ତ୍ତୀକଳ।ରେ ୫,ନିବନ୍ଧ ୧୦ ଓ ପତ୍ର ବାଚନରେ ୧୦ଜଣ ଶିଶୁ ଅଂଶ ଗ୍ରହଣ କରିଥିଲେ ।

ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ୨୫ ଜଣ ନିର୍ଣ୍ଣାୟକ ଉପସ୍ଥିତ ରହି ଶିଶୁଙ୍କର ମୂଲ୍ୟାୟନ କରିଥିଲେ ।ପରବର୍ତ୍ତୀ ପର୍ଯ୍ୟାୟରେ ଅପର।ହ୍ଣ ୩:୩୦ଘଟିକାରେ ଏହି ମେଳାର ସମାରୋପ ଉଦଯାପନ ଉତ୍ସବର ଆୟୋଜନ କରଯାଇଥିଲା ।ଇତ୍ୟ ବସରରେ ମୁଖ୍ୟ ଅତିଥି ଭାବେ ମାନନୀୟ ଶ୍ରୀଯୁକ୍ତ ସଞ୍ଜୀବ କୁମାର ବଡମାଝୀ ଡେପୁଟି କଲେକ୍ଟର ଉପଖଣ୍ଡ ବାଲିଗୁଡ଼ା ମହୋଦୟ ସଦୟ ଉପସ୍ଥିତ ରହି ଉପସ୍ଥିତ କୁନି କୁନି ବିଜ୍ଞାନୀଙ୍କ ଉଦ୍ଦେଶ୍ୟରେ ବିଜ୍ଞାନର ମହତ୍ତ୍ୱ ଓ ସଂସ୍କୃତିର ମହତ୍ତ୍ୱ ଆଗାମୀ ପିଢି ନିମନ୍ତେ କେତେ ଯେ ଗୁରୁତ୍ତ୍ୱପୂର୍ଣ୍ଣ ତାହା କହିଥିଲେ । ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ। ଶ୍ରୀମତୀ ମମତା ମହାରଣା ଜ୍ଞାନ ବିଜ୍ଞାନ ମେଳାର ବୃତ୍ତ କଥନ କରିଥିଲେ । ଶିଶୁ ବିଦ୍ୟାମନ୍ଦିର ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ସୁଧାଂଶୁ ମୋହନ ପତି ମହୋଦୟ ସଂପୂର୍ଣ୍ଣ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ତଥା ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚଳନା ନିମନ୍ତେ ପ୍ରଚେଷ୍ଟା କରିଥିଲେ । ସର୍ବୋପରି ଶିଶୁ ବିଦ୍ୟାମନ୍ଦିରର ସମ୍ପାଦକ ଶ୍ରୀଯୁକ୍ତ ତୀର୍ଥବାସୀ ଘଡେଇ ମହୋଦୟ ଉଭୟ କାର୍ଯ୍ୟ କ୍ରମଟିରେ ଉପସ୍ଥିତ ଅତିଥି ଗଣଙ୍କ ପରିଚୟ ପ୍ରଦାନ କରିବା ସହ ମହାଶୟଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟିର ସୁପରିଚାଳନା ହୋଇଥିଲା । ଇତ୍ୟବସରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ କୃତକାର୍ଯ୍ୟ ହୋଇଥିବା ଶିଶୁମାନଙ୍କୁ ଅତିଥି ଗଣଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକାଙ୍କ ଅକୁଣ୍ଠ ପରିଶ୍ରମ ଫଳରେ କାର୍ଯ୍ୟକ୍ରମଟିର ସଫଳ ରୂପାୟନ ହୋଇଥିଲା । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଓ ଶାନ୍ତି ମନ୍ତ୍ର ତଥା ବନ୍ଦେମାତରମ ଗାନ କରାଯାଇ କାର୍ଯ୍ୟକ୍ରମଟିର ସାଙ୍ଗ କରଯାଇଥିଲା ।
