ବାରିପଦା /କରଞ୍ଜିଆ; ମୟୂରଭଞ୍ଜ ଜିଲ୍ଲା, କରଞ୍ଜିଆଠାରେ ଆଜି ଅଗଷ୍ଟ ୯ ତାରିଖ ବିଶ୍ୱ ଆଦିବାସୀ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ମିଳିତ ଆଦିବାସୀ ମଞ୍ଚ, ପାଞ୍ଚପୀଢ଼, କରଞ୍ଜିଆ ପକ୍ଷରୁ କରଞ୍ଜିଆ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଏହି ଦିବସ ପାଳନ କରାଯାଇଥିଲା।
ଏହି ଅବସରରେ ପ୍ରଥମେ ସଙ୍ଗୀତ ମହାବିଦ୍ୟାଳୟ ପରିସରରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାଟି କରଞ୍ଜିଆ ଏନ୍ଏସି ଛକ, ମାଣିକ ଛକ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ଏଥିରେ କରଞ୍ଜିଆ ଉପଖଣ୍ଡର ବିଭିନ୍ନ ଅଞ୍ଚଳରୁ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଯୋଗଦେଇଥିଲେ। ଶୋଭାଯାତ୍ରାରେ ଆଦିବାସୀମାନେ ନିଜର ପାରମ୍ପରିକ ପୋଷାକ ପରିଧାନ କରିବା ସହ ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇ ନୃତ୍ୟ କରିଥିଲେ। ପାରମ୍ପରିକ ନୃତ୍ୟ, ବାଦ୍ୟ ଓ ବେଶଭୂଷା ମାଧ୍ୟମରେ ଆଦିବାସୀ ସମାଜର ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା। ଶୋଭାଯାତ୍ରା ଯୋଗୁଁ କରଞ୍ଜିଆ ସହରରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ପରେ ଆଦିବାସୀ ମଞ୍ଚର ପ୍ରତିନିଧିମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ୧୬ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଆଦିବାସୀ ମଞ୍ଚର ପ୍ରତିନିଧିମାନଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମିଳିତ ଆଦିବାସୀ ମଞ୍ଚର ସଭାପତି ପଦ୍ମଲୋଚନ ଟୁଡୁ, ଉପସଭାପତି ଗୁନାରାମ ସୟ , ସମ୍ପାଦକ ରଞ୍ଜିତ ସଂଖିଆଳଙ୍କ ସମେତ ବିଭିନ୍ନ ବ୍ଲକର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ଓ ଆଦିବାସୀ ସମାଜର ବହୁ ପ୍ରତିନିଧି ଯୋଗଦେଇଥିଲେ। ଦାବିପତ୍ର ପ୍ରଦାନ ପରେ ସମସ୍ତେ ପୁଣି ସଙ୍ଗୀତ ମହାବିଦ୍ୟାଳୟ ପରିସରକୁ ଫେରିଥିଲେ। ସେଠାରେ ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଆଦିବାସୀ ସମାଜର ଅଧିକାର, ସାମାଜିକ ବିକାଶ, ଶିକ୍ଷା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହାପରେ ଆୟୋଜକମାନଙ୍କ ପକ୍ଷରୁ ବିଭିନ୍ନ ପାରମ୍ପରିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଆଦିବାସୀ କଳା, ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ନିଜର ସ୍ୱତନ୍ତ୍ର ସଂସ୍କୃତି ଓ ପରମ୍ପରାକୁ ସମସ୍ତଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ କଳାକାରମାନେ। ସମଗ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ସମାଜ ନିଜର ଭାଷା, ସଂସ୍କୃତି, ପରମ୍ପରା ଓ ଅଧିକାରର ସୁରକ୍ଷା ପାଇଁ ଏକଜୁଟ ହେବାର ବାର୍ତ୍ତା ଦେଇଥିଲେ। ବିଶ୍ୱ ଆଦିବାସୀ ଦିବସ ପାଳନକୁ ନେଇ କରଞ୍ଜିଆ ଅଞ୍ଚଳରେ ଦିନତମାମ ଉତ୍ସବମୁଖର ପରିବେଶ ଲାଗି ରହିଥିଲା।
