ହିନ୍ଦୋଳ: ଦୁଦୁରକୋଟ ମାନପୁର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ପିଉସା ଘର ସରପାକୁ ବୁଲିବାକୁ ଯାଇ ପାଣିରେ ବୁଡ଼ି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ହିନ୍ଦୋଳ ଉପଖଣ୍ଡ ବାଲିମୀ ଥାନା ଅନ୍ତର୍ଗତ ଦୁଦୁରକୋଟ ମାନପୁର ଗ୍ରାମର କିଶୋର ଗୋଚ୍ଛାୟତଙ୍କ ପୁଅ ଦିନେଶ ଗୋଚ୍ଛାୟତ (୧୫) ନିଜ ପିଉସା ଘର ସରପାକୁ ବୁଲିବାକୁ ଯାଇଥିଲେ। ସରପାରେ ଥିବା ଲିଙ୍ଗରା ଯୋରକୁ ଶନିବାରେ ଗାଧୋଇବାକୁ ଯାଇ ପାଣିରେ ଭାସିଯାଇଥିଲେ। ଏ ସଂପର୍କରେ ଖବରପାଇ ବଅଁରପାଳ ବୁଢାପଙ୍କ ଦମକଳବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲା। କିନ୍ତୁ ରବିବାର ଦମକଳବାହିନୀ ଦୀର୍ଘସମୟ ଖୋଜାଖୋଜି କରିବାପରେ ତାଙ୍କ ମୃତଦେହ ଉଦ୍ଧାର କରିଛି। ଗାଧୋଉଥିବା ଜାଗାରୁ ପ୍ରାୟ ଶହେ ମିଟର ଦୂରକୁ ତାଙ୍କୁ ଭସାଇ ନେଇଥିଲା। ପୁଅର ମୃତ୍ୟୁ ଖବରଶୁଣି ପରିବାରଲୋକେ ବାହୁନି ବାହୁନି କାନ୍ଦିବା ସହ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଏବଂ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦିନେଶ ଦଶମ ଶ୍ରେଣୀର ଛାତ୍ରଥିଲେ ବୋଲି ଜଣାପଡିଛି।
