ବାରିପଦା/ସାହାରପଡା; କେନ୍ଦୁଝର ବନଖଣ୍ଡ, ପାଟଣା ବନାଞ୍ଚଳରେ ଏବେ ହାତୀ ମାନଙ୍କ ଆତଙ୍କ ଚରମ ସୀମାରେ। ଗୋଟିଏ କି ଦୁଇଟି ନୁହେଁ, ପାଖାପାଖି ୨୮ଟି ହାତୀଙ୍କ ଚଳପ୍ରଚଳ ଯୋଗୁଁ ବନାଞ୍ଚଳ ସମେତ ଆଖପାଖ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି। ହାତୀପଲ ଦିନକୁ ଦିନ ଜନବସତି ଆଡ଼କୁ ମୁହାଁଇବା ସହ ଘରଦ୍ୱାର ଭାଙ୍ଗିବାଠାରୁ ଆରମ୍ଭ କରି ଚାଷଜମିରେ ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ଶନିବାର ପାହାନ୍ତିଆ ସମୟରେ ସାହାରପଡ଼ା ବନପାଳ ଅଧୀନ ଦମାହୁଦା ବିଟ୍ର ଡାଳପକା ଗ୍ରାମରେ ଏକ ଗୋଠଛଡ଼ା ଦନ୍ତା ହାତୀ ମନୋଜ ମାଝିଙ୍କ ଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଭୋର ସମୟରେ ଘର ନିକଟରେ ଦନ୍ତାର ଉପସ୍ଥିତି ଓ ଘର ଭାଙ୍ଗିବା ଘଟଣାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଛି। ଅନ୍ୟପକ୍ଷରେ, ପାଟଣା ବନାଞ୍ଚଳରେ ପ୍ରାୟ ୨୦ଟି ହାତୀଙ୍କ ଏକ ପଲ ଗତ ୧୮ ଦିନ ଧରି ଡେରା ପକାଇଥିବା ଅଭିଯୋଗ ହୋଇଛି। ହାତୀପଲ ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳକୁ ପଶି ଧାନବିଲ, ପନିପରିବା ଓ ମକା ଚାଷ ଦଳିଚକଟି ନଷ୍ଟ କରୁଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ଚାଷ ନଷ୍ଟ ହେବା ସହ ଘରଦ୍ୱାର ଭାଙ୍ଗିବା ଘଟଣା ମଧ୍ୟ ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ପାଲଟିଛି। ସେପଟେ ପାଟଣା ନିକଟ ମଙ୍ଗଳପୁର ଗ୍ରାମ ନିକଟରେ ସନ୍ଧ୍ୟା ସମୟରେ ୧୯ ଟିକିଆ ହାତୀପଲ ବୈତାଳୁଗୁଡ଼ା ଅଞ୍ଚଳରେ ପ୍ରବେଶ କରି ଚାଷ ଜମିରେ କ୍ଷତି ଘଟାଇଥିବା ସୂଚନା ମିଳିଛି। ଫଳରେ ହାତୀଙ୍କ ଗତିବିଧିକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଆହୁରି ବଢ଼ିଛି। ବୈତରଣୀ ବଢ଼ି ହାତୀଙ୍କ ଗତିପଥରେ ବାଧା ସୃଷ୍ଟି କରୁଥିବାବେଳେ ହାତୀପଲକୁ ସୁରକ୍ଷିତ ଭାବେ ଅନ୍ୟ ଅଞ୍ଚଳକୁ ଘଉଡ଼ାଇବା ପାଇଁ ପାଟଣା ବନାଞ୍ଚଳର ବନ କର୍ମଚାରୀମାନେ ଲଗାତାର ଉଦ୍ୟମ କରୁଥିଲେ ମଧ୍ୟ ସମସ୍ୟାର ସମାଧାନ ସହଜ ହେଉନାହିଁ।

ବିଶେଷକରି ବୈତରଣୀ ନଦୀରେ ବଢ଼ି ପରିସ୍ଥିତି ସମ୍ପୂର୍ଣ୍ଣ କମିନଥିବାରୁ ହାତୀପଲ ନଦୀ ପାର ହୋଇ ଅନ୍ୟତ୍ର ଯିବାରେ ବାଧା ସୃଷ୍ଟି ହେଉଥିବା ର କୁହାଯାଉଛି। ଫଳରେ ହାତୀମାନେ ଜଙ୍ଗଲ ଛାଡ଼ି ଚାଷଜମି ଓ ଜନବସତି ନିକଟକୁ ଆସୁଥିବାରୁ ସ୍ଥିତି ଜଟିଳ ହେଉଛି। ପାଟଣା ବନାଞ୍ଚଳରେ ଦୀର୍ଘଦିନ ଧରି ହାତୀଙ୍କ ଅବସ୍ଥାନ ଯୋଗୁଁ ହାତୀ-ମଣିଷ ସଂଘର୍ଷର ଆଶଙ୍କା ମଧ୍ୟ ବଢ଼ିଛି। ଅତୀତରେ ଏଭଳି ସଂଘର୍ଷରେ ଜୀବନହାନି ଘଟିଥିବାବେଳେ ହାତୀଙ୍କୁ ଉତ୍ତେଜିତ କିମ୍ବା ହଇରାଣ କରିବା ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବାର ଆଶଙ୍କା ମଧ୍ୟ ରହିଛି। ତେଣୁ ଉଭୟ ମଣିଷ ଓ ହାତୀଙ୍କ ସୁରକ୍ଷା ଏବେ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି। ଘଉଡ଼ାଇବାକୁ ଦାବି, ବଡ଼ ପଦକ୍ଷେପକୁ ଅପେକ୍ଷା, ହାତୀପଲକୁ ଜନବସତି ଓ ଚାଷଜମିଠାରୁ ଦୂର ରେ ସୁରକ୍ଷିତ ଭାବେ ଘଉଡ଼ାଇବା ସହ କ୍ଷତିଗ୍ରସ୍ତ ଚାଷୀ ଓ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ରାତି ସମୟରେ ପାଟ୍ରୋଲିଂ ଓ ଜନସଚେତନତାକୁ ଆହୁରି ଜୋରଦାର କରିବାକୁ ମଧ୍ୟ ଦାବି ହୋଇଛି। ତେବେ ୧୮ ଦିନ ଧରି ହାତୀପଲ ଅଞ୍ଚଳରେ ରହିବା, ଘର ଭାଙ୍ଗିବା ଓ ଚାଷ ନଷ୍ଟ କରିବା ଘଟଣା ବଢ଼ିଚାଲିଥିବା ବେଳେ ଏହି ସଙ୍କଟର ସ୍ଥାୟୀ ସମାଧାନ କେବେ ହେବ—ତାହାକୁ ନେଇ ଏବେ ଅଞ୍ଚଳବାସୀଙ୍କ ନଜର ବନ ବିଭାଗ ଉପରେ।
