ବାରିପଦା /ସାହାରପଡା ; ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ଶେଷରେ ଜଣେ ଯୁବକଙ୍କ ପାଇଁ କାଳ ହୋଇଛି। ଭିଡିଓରେ ଜଣେ ଯୁବକ ବଣୁଆ ହାତୀକୁ ଅତି ନିକଟ କୁ ଯାଇ ହାତରେ ୨ ଥର ଛୁଇଁ ମଜା ନେଉଥିବା ଏବଂ ଉତ୍ତ୍ୟକ୍ତ କରୁଥିବା ଦୃଶ୍ୟ ସାମ୍ନାକୁ ଆସିବା ପରେ କେନ୍ଦୁଝର ବନ ବିଭାଗ କଡ଼ା ପଦକ୍ଷେପ ନେଇଛି। ବୁଧବାର ସନ୍ଧ୍ୟାରେ ଚମ୍ପୁଆ ଥାନା ଅନ୍ତର୍ଗତ ପଞ୍ଚପୋଖରିଆ ଡାକଘର ଅଧୀନ ଗୋଧୂଳି ଗ୍ରାମର କାଳୀଚରଣ ନାୟକଙ୍କ ପୁଅ ଗଣେଶ ନାୟକ (ବର୍ହା)ଙ୍କୁ ଗିରଫ କରାଯାଇଛି।ବନ ବିଭାଗର ସୂଚନା ଅନୁସାରେ, ଅଭିଯୁକ୍ତଙ୍କୁ ପୂର୍ବରୁ ଏପରି କାର୍ଯ୍ୟରୁ ବିରତ ରହିବାକୁ ଅନେକ ଥର ସତର୍କ କରାଯାଇଥିଲେ ମଧ୍ୟ ସେ ଚମ୍ପୁଆ, ପାଟଣା, କେନ୍ଦୁଝର ସଦର ଓ ଘଟଗାଁ ବନାଞ୍ଚଳରେ ବଣୁଆ ହାତୀଙ୍କ ପଛରେ ଗୋଡ଼ାଇବା, ନିକଟକୁ ଯାଇ ଭିଡିଓ କରିବା ଓ ଉତ୍ତ୍ୟକ୍ତ କରିବା ଭଳି କାର୍ଯ୍ୟ ଜାରି ରଖିଥିଲେ।

ସମ୍ପ୍ରତି ଭାଇରାଲ ଭିଡିଓର ତଦନ୍ତ ପରେ ବନ ବିଭାଗ ତୁରନ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିଛି।ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ ଅନୁଯାୟୀ ବଣୁଆ ହାତୀଙ୍କୁ ହଇରାଣ କରିବା, କ୍ଷତି ପହଞ୍ଚାଇବା କିମ୍ବା ସେମାନଙ୍କ ସ୍ୱାଭାବିକ ଚଳପ୍ରଚଳରେ ବାଧା ସୃଷ୍ଟି କରିବା ଏକ ଅଣ ଜାମିନଯୋଗ୍ୟ ଗୁରୁତର ଅପରାଧ। ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିକ ୭ ବର୍ଷ କାରାଦଣ୍ଡ ସହ ଜରିମାନାର ବ୍ୟବସ୍ଥା ରହିଛି। ଉଲ୍ଲେଖଯୋଗ୍ୟ ଯେ, ଗତ ଏକ ସପ୍ତାହ ମଧ୍ୟରେ ବଣୁଆ ହାତୀଙ୍କୁ ଉତ୍ତ୍ୟକ୍ତ କରିବା ଅଭିଯୋଗରେ ଏହା ତୃତୀୟ ଗିରଫ। ଏହା ବନ ବିଭାଗର କଡ଼ା ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି। ବନ ବିଭାଗ ସାଧାରଣ ଲୋକଙ୍କୁ ବଣୁଆ ହାତୀଙ୍କ ନିକଟକୁ ନଯିବା, ସୁରକ୍ଷିତ ଦୂରତା ବଜାୟ ରଖିବା ଏବଂ ସୋସିଆଲ ମିଡିଆ ପାଇଁ ଜୀବନକୁ ବିପଦରେ ପକାଇ ଏପରି କାର୍ଯ୍ୟ ନକରିବାକୁ ଅପିଲ କରିଛି। ସେହିପରି ଆଗାମୀ ଦିନରେ ଏଭଳି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କ ବିରୋଧରେ ମଧ୍ୟ କଡ଼ା ଆଇନଗତ ପଦକ୍ଷେପ ଜାରି ରହିବ ବୋଲି ବନ ବିଭାଗ ସୂଚନା ଦେଇଛି।
