ପୁରୀ: ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସତ୍ୟାଗ୍ରହ ପଦଯାତ୍ରା ଆଜି କ୍ରମାଗତ ୧୨୬ ଦିନରେ ପହଞ୍ଚିଛି। ଏଠାରେ ସୂଚନାଯୋଗ୍ୟ ଯେ, ଗତ ଅପ୍ରେଲ ପହିଲା ଉତ୍କଳ ଦିବସରୁ ଦୀର୍ଘ ଚାରି ମାସରୁ ଅଧିକ ସମୟ ଧରି ପୁରୀବାସୀ ସତ୍ୟ, ଅହିଂସା ଓ ସମ୍ବିଧାନର ମର୍ଯ୍ୟାଦାକୁ ସମ୍ମାନ ଦେଇ ନିଜର ଜନ୍ମସିଦ୍ଧ, ଐତିହାସିକ ଓ ପରମ୍ପରାଗତ ଅଧିକାର ପାଇଁ ପଦଯାତ୍ରା ମାଧ୍ୟମରେ ସଂଘର୍ଷ ଜାରି ରଖିଛନ୍ତି। କିନ୍ତୁ ଏହି ଦୀର୍ଘ ଅପେକ୍ଷା, ଅକ୍ଳାନ୍ତ ଧୈର୍ଯ୍ୟ ଓ ନୀରବ ପ୍ରତିବାଦ ପରେ ମଧ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନର ଉଦାସୀନତା ପୁରୀବାସୀଙ୍କୁ ଗଭୀର ଭାବେ ମର୍ମାହତ କରିଛି।

ପଦଯାତ୍ରୀ ସତ୍ୟାଗ୍ରହୀମାନେ କହିଛନ୍ତି, ଗଣତନ୍ତ୍ରର ପ୍ରକୃତ ଶକ୍ତି ହେଉଛି ଲୋକଙ୍କ କଣ୍ଠସ୍ୱରକୁ ସମ୍ମାନ ଦେବା। ଯେତେବେଳେ ଶାନ୍ତିପୂର୍ଣ୍ଣ, ଅହିଂସାପୂର୍ଣ୍ଣ ଓ ସାମ୍ବିଧାନିକ ଉପାୟରେ ନ୍ୟାୟ ଦାବି କରୁଥିବା ଲୋକଙ୍କ ଆବେଦନକୁ ଅଣଦେଖା କରାଯାଏ, ସେତେବେଳେ ନୀରବତା ହିଁ ସବୁଠାରୁ ଶକ୍ତିଶାଳୀ ପ୍ରତିବାଦରେ ପରିଣତ ହୁଏ। ପୁରୀବାସୀ କୌଣସି ବିଶେଷ ଅଧିକାର ନୁହେଁ, କେବଳ ପୂର୍ବପରି ମହାପ୍ରଭୁଙ୍କ ଦର୍ଶନର ଅଧିକାର ଫେରି ପାଇବାକୁ ଦାବି କରୁଛନ୍ତି। ଏହି ନ୍ୟାୟସଙ୍ଗତ ଦାବି ପ୍ରତି ଅବହେଳା କେବଳ ପୁରୀବାସୀଙ୍କ ଭାବାବେଗକୁ ନୁହେଁ, ବରଂ ଶ୍ରୀକ୍ଷେତ୍ରର ପରମ୍ପରା ଓ ଗୌରବକୁ ମଧ୍ୟ ଆଘାତ ପହଞ୍ଚାଉଛି। ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ ପ୍ରାର୍ଥନା କରି ସତ୍ୟାଗ୍ରହୀମାନେ କହିଥିଲେ— “ହେ କାଳିଆ ସାଆନ୍ତ ! ତୁମ ଶ୍ରୀକ୍ଷେତ୍ରର ସନ୍ତାନମାନେ ଆଜି ମଧ୍ୟ ତୁମ ନ୍ୟାୟ ଉପରେ ଅଟଳ ବିଶ୍ୱାସ ରଖିଛନ୍ତି। ଆମର ସଂଘର୍ଷ କାହା ବିରୋଧରେ ନୁହେଁ, ଅନ୍ୟାୟ ବିରୋଧରେ।

ସତ୍ୟର ବିଜୟ ହେଉ, ନ୍ୟାୟର ପ୍ରତିଷ୍ଠା ହେଉ ଏବଂ ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ଶୀଘ୍ର ପୁନଃସ୍ଥାପିତ ହେଉ।ମଙ୍ଗଳବାର ପଦଯାତ୍ରାରେ ସର୍ବଶ୍ରୀ ଶିବସୁନ୍ଦର ମିଶ୍ର, ଚକ୍ରଧର ମହାପାତ୍ର, ହରିଶଙ୍କର ମିଶ୍ର, ସୁକାନ୍ତ ପଣ୍ଡା, ଶିଶିରକାନ୍ତ ଶତପଥୀ, ମନୋରଞ୍ଜନ ରଣସିଂହ, ଯାଦବାନନ୍ଦ ରାୟ, ମିନାକ୍ଷୀ ଦାସ, ପ୍ରଣତୀ ରାୟ, ସନ୍ଧ୍ୟାରାଣୀ ମିଶ୍ର, ଅରୁଣା ପଟ୍ଟନାୟକ, ଭାରତୀ ମହାନ୍ତି, ବନୀତା ଦିକ୍ଷୀତ, ମମତା ସ୍ୱାଇଁ, ସନ୍ତୋଷ ସେନାପତି, ଅଭିମନ୍ୟୁ ପ୍ରଧାନ, କିଶୋର ଚନ୍ଦ୍ର ଦାସ, ଲିଙ୍ଗରାଜ ସାହୁ, ଗଦାଧର ମହାରଣା, ଲାବଣ୍ୟ ସୁନାମୁଦି, ସୁବାଷ ପଟ୍ଟନାୟକ, ଜଗନ୍ନାଥ ଷଡ଼ଙ୍ଗୀ, ମାନସ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ନିଜର ସମର୍ଥନ ଜଣାଇଥିଲେ।

ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, ‘୧୨୬ ଦିନ ଧରି ପୁରୀବାସୀ ଶୃଙ୍ଖଳା, ଧୈର୍ଯ୍ୟ ଓ ଅହିଂସାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଆମେ ସତ୍ୟକୁ ଆମର ଅସ୍ତ୍ର ଓ ଗାନ୍ଧୀଙ୍କ ପଥକୁ ଆମର ମାର୍ଗଦର୍ଶକ କରିଛୁ। କିନ୍ତୁ ଯଦି ଲୋକଙ୍କ ନ୍ୟାୟସଙ୍ଗତ ଦାବି ପ୍ରତି ସରକାର ଓ ପ୍ରଶାସନ ନିରନ୍ତର ନୀରବ ରହେ, ତେବେ ଏହା ଗଣତନ୍ତ୍ରର ଆତ୍ମା ପାଇଁ ଶୁଭ ସଙ୍କେତ ନୁହେଁ। ପୁରୀବାସୀଙ୍କ ଅଧିକାର ପୁନଃସ୍ଥାପିତ ନ ହେବା ପର୍ଯ୍ୟନ୍ତ ଆମର ନୀରବ ସତ୍ୟାଗ୍ରହ ଅଟୁଟ, ଅହିଂସାପୂର୍ଣ୍ଣ ଓ ଦୃଢ଼ ସଂକଳ୍ପ ସହ ଜାରି ରହିବ।
