କଳାହାଣ୍ଡି: ସୋମବାର ଜମି ବାଡିକୁ କେନ୍ଦ୍ର କରି କଲମପୁର ଥାନା ଅଧୀନ ମାଟିଖାଲ ଗ୍ରାମ ଠାରେ ଘଟିଥିଲା ଏକ ଅଭାବନୀୟ ଘଟଣା । ଏକ ସରକାରୀ ଜମି ଜବର ଦଖଲକୁ ନେଇ ପୂର୍ବରୁ ଲାଗି ରହିଥିଲା ଗଣ୍ଡଗୋଳ । ଧନୁକର ନାମକ ଜନୈକ ବ୍ୟକ୍ତି ଗ୍ରାମର ଏକ ସରକାରୀ ଜମି ଦଖଲ କରି ଘର କରିଥିଲେ । ସେଠାରେ ଥିବା ଅନ୍ୟ ସରକାରୀ ଜମିରେ ଗ୍ରାମର ଘନଶ୍ୟାମ ମାଝୀ ଶୌଚାଳୟ ନିର୍ମାଣ କରି ଥିଲେ । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ଲାଗି ରହିଥିଲା । ଗତକାଲି ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ଘନଶ୍ୟାମ ମାଝୀ ଧନୁ କର ଉପରେ ମରଣାନ୍ତକ ଆକ୍ରମଣ କରିଥିବା ନେଇ କଲମପୁର ପୁଲିସରେ ଅଭିଯୋଗ ହେଇଥିଲା ଓ ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ଥାନାରେ ମରଣାନ୍ତକ ଆକ୍ରମଣ ନେଇ ୧୧୩/୨୦୨୬ରେ ମାମଲା ରୁଜୁ କରାଯାଇ ଏସ.ଆଇ ଶିବଶଙ୍କର ମାହାନ୍ତି ଘଟଣାର ତଦନ୍ତ କରିଥିଲେ । ଏହା ସହ ଘନଶ୍ୟାମକୁ ଗିରଫ କରିଥିଲେ । ସୋମବାର ଘନଶ୍ୟାମର ଡାକ୍ତରୀ ପରୀକ୍ଷା କରିବା ପରେ ଅପରାହ୍ନରେ ଜୟପାଟଣା ଜେଏମଏଫସି କୋର୍ଟକୁ ଚାଲାଣ କରାଯାଇଛି । ଅନ୍ୟପଟେ ତହସିଳ ପକ୍ଷରୁ ଉକ୍ତ ସରକାରୀ ଜମିକୁ ଜବର ଦଖଲ ମୁକ୍ତ କରି ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ପାଇଁ ପ୍ରଦାନ କରାଯିବା ନେଇ ସୂଚନା ରହିଛି ।
