ପୁରୀ: ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସତ୍ୟାଗ୍ରହ ପଦଯାତ୍ରା ଆଜି କ୍ରମାଗତ ୧୨୫ ଦିନରେ ପହଞ୍ଚିଛି। ଚାରି ମାସରୁ ଅଧିକ ସମୟ ଧରି ପୁରୀବାସୀ ସତ୍ୟ, ଅହିଂସା ଓ ସମ୍ବିଧାନର ପଥରେ ରହି ନିଜ ଅଧିକାର ପାଇଁ ସଂଗ୍ରାମ କରୁଛନ୍ତି। କିନ୍ତୁ ଏହି ଦୀର୍ଘ ତ୍ୟାଗ, ଧୈର୍ଯ୍ୟ ଓ ନୀରବ ପ୍ରତିବାଦ ସରକାର ଓ ଶ୍ରୀମନ୍ଦିର ପ୍ରଶାସନର ବିବେକକୁ ଏପର୍ଯ୍ୟନ୍ତ ଜାଗ୍ରତ କରିପାରିନାହିଁ।ପଦଯାତ୍ରାରେ ସହଭାଗୀ ସତ୍ୟାଗ୍ରହୀମାନେ କହିଛନ୍ତି, ଯେଉଁ ଗଣତନ୍ତ୍ରରେ ଶାନ୍ତିପୂର୍ଣ୍ଣ ଭାବରେ ନିଜ ଅଧିକାର ଦାବି କରୁଥିବା ଲୋକଙ୍କ କଥା ଶୁଣାଯାଏ ନାହିଁ, ସେଠାରେ ନୀରବତା ହିଁ ସବୁଠାରୁ ବଡ଼ ପ୍ରତିବାଦରେ ପରିଣତ ହୁଏ। ପୁରୀବାସୀ କୌଣସି ବିଶେଷ ସୁବିଧା ମାଗୁନାହାନ୍ତି; ସେମାନେ କେବଳ ନିଜର ପୂର୍ବପରି ଦର୍ଶନ ଅଧିକାର ଫେରାଇ ଦେବାକୁ ଦାବି କରୁଛନ୍ତି।

ତଥାପି ଏହି ନ୍ୟାୟସଙ୍ଗତ ଦାବିକୁ ଅଣଦେଖା କରାଯିବା ପୁରୀବାସୀଙ୍କ ଆତ୍ମସମ୍ମାନ ଓ ପରମ୍ପରା ପ୍ରତି ଏକ ଗଭୀର ଆଘାତ। ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ ପ୍ରାର୍ଥନା କରି ସତ୍ୟାଗ୍ରହୀମାନେ କହିଥିଲେ, “ହେ କାଳିଆ ସାଆନ୍ତ ! ଆମ ଆଖିର ଲୁହ, ଆମର ନୀରବତା ଓ ଆମର ଅପେକ୍ଷାକୁ ତୁମେ ନିଶ୍ଚୟ ଦେଖୁଛ। ଆମର ସଂଗ୍ରାମ କୌଣସି ବ୍ୟକ୍ତି ବିରୋଧରେ ନୁହେଁ; ଏହା ଅନ୍ୟାୟ ବିରୋଧରେ। ସତ୍ୟର ଜୟ ହେଉ, ନ୍ୟାୟର ବିଜୟ ହେଉ, ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ହେଉ। ସୋମବାର ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଶିବସୁନ୍ଦର ମିଶ୍ର, ଚକ୍ରଧର ମହାପାତ୍ର, ବିଶ୍ୱନାଥ ମିଶ୍ର, ପ୍ରଦୀପ୍ତ କୁମାର ମହାନ୍ତି, ଶିଶିରକାନ୍ତ ଶତପଥୀ, ମନୋରଞ୍ଜନ ରଣସିଂହ, ଯାଦବାନନ୍ଦ ରାୟ, ସନ୍ଧ୍ୟାରାଣୀ ମିଶ୍ର, ମମତା ଦାସ, ମମତା ସ୍ୱାଇଁ, ସନ୍ତୋଷ ସେନାପତି, କିଶୋର ଚନ୍ଦ୍ର ଦାସ, ଲିଙ୍ଗରାଜ ସାହୁ, ଗଦାଧର ମହାରଣା, ସୁବାଷ ପଟ୍ଟନାୟକ, ମାନସ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ନିଜର ସମର୍ଥନ ଜଣାଇଥିଲେ।ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି,

୧୨୫ ଦିନ ଧରି ପୁରୀବାସୀ ଧୈର୍ଯ୍ୟ, ଶୃଙ୍ଖଳା ଓ ଅହିଂସାର ସର୍ବୋଚ୍ଚ ପରୀକ୍ଷା ଦେଇଆସୁଛନ୍ତି। ଆମେ ସଂଘର୍ଷର ଭାଷା ନୁହେଁ, ସତ୍ୟର ଭାଷା କହିଛୁ; ହିଂସାର ପଥ ନୁହେଁ, ଗାନ୍ଧୀଙ୍କ ପଥ ବାଛିଛୁ। କିନ୍ତୁ ଯଦି ସରକାର ଲୋକଙ୍କ ନୀରବ କଣ୍ଠସ୍ୱରକୁ ମଧ୍ୟ ଶୁଣିବାକୁ ପ୍ରସ୍ତୁତ ନୁହେଁ, ତେବେ ଏହା ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପୁରୀବାସୀଙ୍କ ଅଧିକାର ଫେରି ନ ଆସିବା ପର୍ଯ୍ୟନ୍ତ ଆମର ନୀରବ ସତ୍ୟାଗ୍ରହ ଅଟୁଟ ରହିବ।
