ବାରିପଦା; ମୟୁରଭଞ୍ଜ ଜିଲ୍ଲା, ବାଦାମପାହାଡ଼ ଥାନା ଅନ୍ତର୍ଗତ ବୁଡାଦର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଜଣେ ଯୁବକ ପ୍ରେମ ବିବାହ କରି ନିଜ ସ୍ତ୍ରୀଙ୍କୁ ଘରକୁ ଆଣିଥିଲେ। ଅଭିଯୋଗ ଅନୁସାରେ, ପରିବାରର କିଛି ସଦସ୍ୟ ସେହି ମହିଳାଙ୍କୁ ଘରେ ପ୍ରବେଶ କରିବାକୁ ଦେଉନାହାନ୍ତି। ଫଳରେ ସେ ନିଜର ଦୁଇ ଶିଶୁପୁଅଙ୍କୁ ନେଇ ଘର ବାହାରେ ଅତ୍ୟନ୍ତ କଷ୍ଟଦାୟକ ପରିସ୍ଥିତିରେ ରହୁଥିବା ର କୁହାଯାଉଛି। ଅନ୍ୟପଟେ, ତାଙ୍କ ସ୍ୱାମୀ କାମ ପାଇଁ ବାହାରକୁ ଯାଇଥିବା ବେଳେ ବହୁଦିନ ଧରି ଘରକୁ ଫେରିନଥିବା ଅଭିଯୋଗ ମଧ୍ୟ ହୋଇଛି। ଗ୍ରାମବାସୀମାନେ ଏହି ଘଟଣା ସମ୍ପର୍କରେ ବାଦାମପାହାଡ଼ ଥାନାରେ ଅଭିଯୋଗ କରିଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି ଫଳପ୍ରଦ ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହି ଘଟଣା ସମ୍ପର୍କରେ ଖବର ପାଇ ରାମଦୋଳୀ ୟୁଥ ପାୱାର ଆସୋସିଏସନ -ର ଫାଉଂଡାର ଙ୍କ ନିର୍ଦ୍ଦେଶକ୍ରମେ ସଂଗଠନର ଏକ ଟିମ୍ ପୀଡ଼ିତ ମହିଳାଙ୍କ ପାଖରେ ପହଞ୍ଚି ଚାଉଳ, ଡାଲି, ଲୁଣ, ମୁଢ଼ି, ମଶାଧୂପ, ବିସ୍କୁଟ ଓ ସାବୁନ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରିଥିଲେ। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ପୀଡ଼ିତାଙ୍କୁ ଯଥାଶୀଘ୍ର ନ୍ୟାୟ ମିଳିବା ସହ ପ୍ରଶାସନ ଓ ସରକାର ତାଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦିଅନ୍ତୁ। ଏଥିପାଇଁ ସଂଗଠନ ପକ୍ଷରୁ ଆବଶ୍ୟକ ସହଯୋଗ ଓ ପ୍ରୟାସ ଜାରି ରହିବ ବୋଲି କୁହାଯାଇଛି।
