ଘଟଗାଁ : ଘଟଗାଁ ବନାଞ୍ଚଳରେ ପୁଣିଥରେ ଗୋଠଛଡ଼ା ଦନ୍ତା ହାତୀର ଆତଙ୍କ ଦେଖିବାକୁ ମିଳିଛି। ମୁର୍ଗାପାହାଡ଼ି ଗ୍ରାମରେ ଏକ ଦନ୍ତା ହାତୀ ପଶି ଆସି ଦୁଇଟି ପରିବାରର ଘର ଭାଙ୍ଗିବା ସହ ଗ୍ରାମରେ କୋର ଭୟ ସୃଷ୍ଟି କରିଛି।ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତିରେ ହଠାତ୍ ଏକ ଗୋଠଛଡ଼ା ଦନ୍ତା ହାତୀ ଗାଁ ଭତରକୁ ପଶିଆସିଥିଲା। ଏହି ସମୟରେ ହାତୀଟି ଗ୍ରାମର ରାମ ମୁଣ୍ଡା ଏବଂ ମକୁରୁ ମୁଣ୍ଡାଙ୍କ ଘରକୁ ଭାଙ୍ଗିରୁଜି ମାଟିରେ ମିଶାଇ ଦେଇଛି। ଘର ଭଙ୍ଗାଯିବା ସମୟରେ ଭୟଭୀତ ପରିବାରବର୍ଗ କୌଣସିମତେ ଦୌଡ଼ି ପଳାଇ ନିଜ ପ୍ରାଣ ରକ୍ଷା କରିବାରେ ସଫଳ ହୋଇଛନ୍ତି। ତେବେ ଏହି ଆକ୍ରମଣରେ ଘରଦ୍ୱାରର ବ୍ୟାପକ କ୍ଷତି ଘଟିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିବା ବେଳେ ବନ ବିଭାଗର ପୂର୍ବ ସୂଚନା ଏବଂ ସତର୍କତା ନରହିବା ନେଇ କ୍ଷତିଗ୍ରସ୍ତ ପରିବାର ତଥା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଖବର ପାଇବା ପରେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ହୋଇଥିବା କ୍ଷୟକ୍ଷତିର ଆକଳନ ଜାରି ରଖିଛନ୍ତି। ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଦ୍ରୁତ ପଦକ୍ଷେପ ନିଆଯିବାକୁ ଦାବି ହୋଇଛି।
