ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଖୁଦୁପୁଟୁଳି ଗ୍ରାମରେ ଏକ ଅଘଟଣ ଘଟିଛି। ଗ୍ରାମର ଜତୀନ୍ଦ୍ର ମହାନ୍ତ ନାମକ ଜଣେ ବ୍ୟକ୍ତିଙ୍କୁ ଘରେ ପଶି ଦୁର୍ବୁତ୍ତମାନେ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି। ଏହି ଗୁଳିକାଣ୍ଡରେ ଜତୀନ୍ଦ୍ରଙ୍କ ପେଟରେ ଗୁଳି ବାଜିଥିବା ଯାହାକି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମରେ ରବିବାର ରାତି ପ୍ରାୟ ୧୦.୩୦ ସମୟରେ ହଠାତ୍ ଦୁର୍ବୁତ୍ତମାନେ ପହଞ୍ଚି ଅତର୍କିତ ଭାବେ ୩ ରାଉଣ୍ଡ ଫାୟାର କରିଥିଲେ। ଏହି ସମୟରେ ଜତୀନ୍ଦ୍ରଙ୍କ ପେଟରେ ଗୁଳି ବାଜିବାରୁ ସେ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ପରିବାରବର୍ଗ ଓ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ପ୍ରଥମେ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ସାଂଘାତିକ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଏସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଏତେ ବଡ଼ ଘଟଣା ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଗୁଳିକାଣ୍ଡ ଘଟାଇବା ପରେ ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି କାଣ୍ଡ ପଛରେ ପୂର୍ବ ଶତ୍ରୁତା କିମ୍ବା ଅନ୍ୟ କୌଣସି କାରଣ ରହିଛି, ସେ ସମ୍ପର୍ଣ୍ଣ ତଥ୍ୟ ପୁଲିସର ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଏଭଳି ଘଟଣା ପରେ ଜତୀନ୍ଦ୍ରଙ୍କ ପରିବାରରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
