ଥିରୁବନନ୍ତପୁରମ: ଗତବର୍ଷ କୁମ୍ଭମେଳା ସମୟରେ ଚର୍ଚ୍ଚାକୁ ଆସିଥିବା ମୋନାଲିସା ଶେଷରେ କେରଳରେ ତାଙ୍କ ପ୍ରେମିକ ଫରମାନ ଖାନଙ୍କୁ ବିବାହ କରିଛନ୍ତି। ଏବଂ ଏକ ବିବୃତିରେ ସେ ସ୍ପଷ୍ଟ କରିଛନ୍ତି ଯେ ଏହା ଲଭ୍ ଜିହାଦ ନୁହେଁ ବରଂ ପରସ୍ପର ପ୍ରତି ସେମାନଙ୍କର ପ୍ରେମ ଏବଂ ପାରସ୍ପରିକ ସମ୍ମାନ ଥିଲା। ମୋନାଲିସା ବୁଧବାର ସନ୍ଧ୍ୟାରେ କେରଳର ପୁଭର ନିକଟସ୍ଥ ଅରୁମାନୁରର ନୟନାର ମନ୍ଦିରରେ ଫରମାନ ଖାନଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ପୋଲିସ ଅଧିକାରୀ କହିଛନ୍ତି ଯେ ମୋନାଲିସା ସ୍ପଷ୍ଟ କରିଥିଲେ ଯେ ସେ ତାଙ୍କ ବାପାଙ୍କ ସହ ଫେରିବାକୁ ଚାହାଁନ୍ତି ନାହିଁ ଏବଂ ଖାନଙ୍କୁ ବିବାହ କରିବାକୁ ଚାହୁଁଥିଲେ। ସେ ତାଙ୍କ ବାପାଙ୍କ ସହ ଯିବେ ନାହିଁ ବୋଲି ଜିଦ୍ ଧରିଥିଲେ ଏବଂ କହିଥିଲେ ଯେ ସେ ତାଙ୍କ ପ୍ରେମିକଙ୍କୁ ବିବାହ କରିବାକୁ ଯୋଜନା କରୁଛନ୍ତି। ଯେହେତୁ ସେ ଜଣେ ସାବାଳକ, ତେଣୁ ସେ ତାଙ୍କ ପସନ୍ଦ ଅନୁସାରେ କାର୍ଯ୍ୟ କରିପାରିବେ। ମୋନାଲିସା କହିଛନ୍ତି, ‘ମୋ ପରିବାର ଚାହୁଁଥିଲେ କି ମୁଁ ଅନ୍ୟ କାହାକୁ ବିବାହ କରିବି। ମୁଁ ତାହା ପସନ୍ଦ କରିନଥିଲି ଏବଂ ମନା କରିଦେଲି। ଏବେ ମୁଁ ଫରମାନଙ୍କୁ ବିବାହ କରିଛି, ମୁଁ ବହୁତ ଖୁସି ଅଛି। ସୂଚନାଯୋଗ୍ୟ ଯେ, ମୋନାଲିସା ପାରିବାରିକ ଚାପରେ ନ ପଡ଼ି ନିଜ ପ୍ରେମିକ ଫରମାନଙ୍କ ସହ ରହିବାକୁ ପସନ୍ଦ କରିଥିଲେ। ଏ ନେଇ ସେ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ।
