ତିରୁବନନ୍ତପୁରମ: ଭାରତର ଜଣେ ପ୍ରମୁଖ ମାର୍କ୍ସବାଦୀ ଐତିହାସିକ ତଥା ନିର୍ଭୀକ ବୁଦ୍ଧିଜୀବୀ ଭାବରେ ବିବେଚିତ କେ.ଏନ୍. ପାନିକ୍କରଙ୍କର ୯୦ ବର୍ଷ ବୟସରେ ତିରୁବନନ୍ତପୁରମରେ ପରଲୋକ ହୋଇଥିଲା। ପାନିକ୍କର ଶ୍ରୀ ଶଙ୍କରାଚାର୍ଯ୍ୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି, କେରଳ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଏବଂ କେରଳ ଇତିହାସ କଂଗ୍ରେସର ପ୍ରତିଷ୍ଠାତା ସଭାପତି ଭାବରେ କାର୍ଯ୍ୟ କରିଥିଲେ। ସେ ଅନେକ ପୁସ୍ତକ ଲେଖିଛନ୍ତି। ସେସବୁ ମଧ୍ୟରେ ରହିଛି “ଏ କନସର୍ଣ୍ଣଡ୍ ଇଣ୍ଡିଆନ୍ସ ଗାଇଡ୍ ଟୁ କମ୍ୟୁନାଲିଜିମ୍’, “ଟୁୱାର୍ଡସ୍ ଫ୍ରିଡମ୍’, ୧୯୪୦: ଏ ଡକ୍ୟୁମେଣ୍ଟାରୀ ହିଷ୍ଟ୍ରି ଅଫ୍ ଦି ଫ୍ରିଡମ୍ ଷ୍ଟ୍ରଗଲ୍’, “ଏଗନେଷ୍ଟ ଲର୍ଡ ଆଣ୍ଡ୍ ଷ୍ଟେଟ୍: ରିଲିଜିଅନ୍ ଆଣ୍ଡ୍ ପିଜଣ୍ଟ ଅପରାଇଜିଂସ୍ ଇନ୍ ମାଲାବାର’, “କଲ୍ଚର ଆଣ୍ଡ୍ କନସନେସ୍ ଇନ୍ ମର୍ଡନ୍ ଇଣ୍ଡିଆ’, “କଲ୍ଚର, ଆଇଡିଆଲୋଜି ଆଣ୍ଡ୍ ହେଜେମୋନି – ଔପନିବେଶିକ ଭାରତରେ ବୁଦ୍ଧିଜୀବୀ ଏବଂ ସାମାଜିକ ଚେତନା’, ଏବଂ “ବିଫୋର୍ ଦି ନାଇଟ୍ ଫଲ୍ସ’। ସାମ୍ପ୍ରଦାୟିକତାର ତୀକ୍ଷ୍ଣ ସମାଲୋଚକ ଭାବେ ସେ ଜଣାଶୁଣା। ଶିକ୍ଷା ବ୍ୟତୀତ, ସେ ସଂସ୍କୃତି ଏବଂ ରାଜନୀତି ଉପରେ ସାର୍ବଜନୀନ ବିତର୍କରେ ଏକ ନିର୍ଭୀକ ସ୍ୱର ଥିଲେ। ସେ ସ୍କୁଲ ପାଠ୍ୟପୁସ୍ତକ ସମୀକ୍ଷା କରିବା ପାଇଁ କେରଳ ସରକାରଙ୍କ ଦ୍ୱାରା ନିଯୁକ୍ତ ଏକ ବିଶେଷଜ୍ଞ କମିଟିର ଅଧ୍ୟକ୍ଷତା ମଧ୍ୟ କରିଥିଲେ ଏବଂ ୨୦୧୦ ମସିହାରେ ସାହିତ୍ୟ ଏବଂ ସାମ୍ବାଦିକତା ପାଇଁ ଏକ ଅନଲାଇନ୍ ପୋର୍ଟାଲ୍, ଇଣ୍ଡିଆନ୍ ରୁମିନେସନ୍ସ ଆରମ୍ଭ କରିଥିଲେ।
