ପିପିଲ: ପିପିଲି–ଜଟଣୀ ମୁଖ୍ୟ ରାସ୍ତାର ମାଧିପୁର ଛକ ନିକଟରେ ସୋମବାର ଏକ ମାଙ୍କଡ଼ା ପଥର ବୋଝେଇ ଟ୍ରକ ଧକ୍କାରେ ଜଣେ ଅଜଣା ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ତାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ପ୍ରାଥମିକ ତଦନ୍ତରୁ ସେ ମାନସିକ ଭାବେ ଅସୁସ୍ଥ ଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, ଟ୍ରକଟି ଜଟଣୀରୁ ପିପିଲି ଅଭିମୁଖେ ଆସୁଥିବା ବେଳେ ମାଧିପୁର ଛକ ନିକଟରେ ମହିଳାଙ୍କୁ ସାମ୍ନାରୁ ଧକ୍କା ଦେଇ ତାଙ୍କ ପେଟ ଉପରେ ଚଢ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ମହିଳା ରାସ୍ତାରେ ନିସ୍ତେଜ ହୋଇ ପଡ଼ି ରହିଥିବା ବେଳେ ଚାଳକ ଜଣକ ଟ୍ରକ କୁ ନେଇ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲା । ତେବେ ଦୃତ ଗତିରେ ଦୁର୍ଘଟଣା ଟ୍ରକ୍ ଟି ପିପିଲି ହାଟଛକ ନିକଟରେ ପୁଣି ପିପିଲି ବିଦ୍ୟୁତ ବିଭାଗର ଏକ ଗାଡ଼ିକୁ ପଛପଟୁ ଧକ୍କା ଦେଇ ରାସ୍ତା ଉପରେ ଗାଡ଼ି ରଖି ଚାଳକ ଜଣକ ସେଠାରୁ ଖସି ପଳାଇ ଥିଲା। ସେପଟେ ରାସ୍ତା ରେ ଗୁରୁତର ମହିଳା ଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ୧୦୮ ଆମ୍ବୁଲାନ୍ସ ଯୋଗେ ପିପିଲି ମେଡିକାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପିପିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ଫେରାର ଚାଳକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ତେବେ ମାଧିପୁର ଗ୍ରାମ ର ଆଶିଷ ସାମନ୍ତରାୟଙ୍କ ଲିଖିତ ଅଭିଯୋଗ ଆଧାରରେ ପିପିଲି ଥାନାରେ ମାମଲା ନଂ ୪୭୧/୨୬ ରୁଜୁ କରାଯାଇଛି। ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି ବୋଲି ପିପିଲି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ ସୂଚନା ଦେଇଛନ୍ତି।
