ସାହାରପଡା ; କେନ୍ଦୁଝର ଜିଲ୍ଲା,ପାଟଣା ବ୍ଲକ ଅନ୍ତର୍ଗତ ମଲିପୋଷି ବାହୁଡା଼ ଯାତ୍ରାରେ ଘଟିଥିବା ଏକ ଅଭିଯୋଗ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯାତ୍ରା ଦେଖିବାକୁ ଆସିଥିବା ଦର୍ଶକଙ୍କ ପ୍ରାୟ ୧୫ରୁ ଅଧିକ ବାଇକ୍ର ପ୍ଲଗ୍ ହୋଲଡର ଚୋରି ହୋଇଥିବା ନେଇ ପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ବିଭିନ୍ନ ଗ୍ରାମରୁ ଲୋକମାନେ ବାଇକ୍ରେ ଆସି ସମ୍ପର୍କୀୟଙ୍କ ଘର ସମ୍ମୁଖରେ ଗାଡ଼ି ରଖି ବାହୁଡା଼ ଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରା ସରିବା ପରେ ଫେରି ବାଇକ୍ ଷ୍ଟାର୍ଟ କରିବା ବେଳେ ଦେଖିଲେ, ଗାଡ଼ିର ପ୍ଲଗ୍ ହୋଲଡର ଖୋଲି ନେଇ ଚୋରି କରାଯାଇଛି। ଫଳରେ ରାତି ଅନ୍ଧାରରେ ପରିବାର ସହ ଆସିଥିବା ଅନେକ ଲୋକ ଦୀର୍ଘ ସମୟ ଧରି ହଇରାଣ ହୋଇଥିଲେ। ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, ଯାତ୍ରା ସମୟରେ ବାଇକ୍, ଚାରିଚକିଆ ଯାନ ଓ ସାଇକେଲ୍ ଷ୍ଟାଣ୍ଡ ପରିଚାଳନା କରୁଥିବା କିଛି ବ୍ୟକ୍ତିଙ୍କ ସମ୍ପୃକ୍ତତା ନେଇ ସନ୍ଦେହ ରହିଛି। ତେବେ ଏହା ଅଭିଯୋଗ ମାତ୍ର, ଏବଂ ଏହାର ସତ୍ୟାସତ୍ୟ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।ଏହି ଘଟଣାକୁ ନେଇ କ୍ଷୁବ୍ଧ ପୀଡ଼ିତମାନେ ପାଟଣା ଥାନାରେ ଲିଖିତ ଅଭିଯୋଗ କରି ଦୋଷୀଙ୍କୁ ଚିହ୍ନଟ କରି କଠୋର ଦଣ୍ଡବିଧାନ କରିବା ସହ ଭବିଷ୍ୟତରେ ଯାତ୍ରା ଭଳି ଜନସମାଗମ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଦାବି କରିଛନ୍ତି। ଅଭିଯୋଗ ପତ୍ରରେ ସୁଶିଲ କୁମାର ନାଏକ, ରାଜେଶ କୁମାର ପାତ୍ର, ମହେନ୍ଦ୍ର ନାଏକ, ସନ ଦୁର୍ଗା ମାଝୀ, ରାଜୁ ନାଏକ, ସ୍ମୃତିରଞ୍ଜନ ମହାନ୍ତ ଓ ଯାଦବ ମହାନ୍ତ ପ୍ରମୁଖ ସ୍ୱାକ୍ଷର କରିଛନ୍ତି।
