ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଗମ୍ଭାରୀ-ମାଟିଖାଇ ରାସ୍ତାରେ ରବିବାର ଘଟିଥିବା ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ବର୍ଷା ପ୍ରଭାବରେ ରାସ୍ତା ଉପରେ ଢଳି ପଡ଼ିଥିବା ଏକ ବିରାଟ ତେନ୍ତୁଳି ଗଛରେ ବାଇକ ଧକ୍କା ଲାଗିବାରୁ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ପଣ୍ଡାମୁଣ୍ଡା ନିକଟସ୍ଥ ବଡ଼ ବିଛଲୀବାହାଲ ଗ୍ରାମର ଗୋପ ବରିହା (୨୩) ଓ ସୁମନ୍ତ ଦୀପ (୨୫) କୌଣସି କାମରେ ଗମ୍ଭାରୀ ଆସିଥିଲେ। ଅପରାହ୍ନ ପ୍ରାୟ ୪ଟା ସମୟରେ ସେମାନେ ମୋଟରସାଇକେଲରେ ନିଜ ଗାଁକୁ ଫେରୁଥିବା ବେଳେ ଗମ୍ଭାରୀ ନିକଟସ୍ଥ ମହିମୁଣ୍ଡା ଠାରେ ବର୍ଷା ଯୋଗୁଁ ରାସ୍ତା ଉପରେ ଢଳି ପଡ଼ିଥିବା ତେନ୍ତୁଳି ଗଛରେ ବାଇକଟି ପିଟି ହୋଇଯାଇଥିଲା। ଫଳରେ ଗୋପ ବରିହାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ସୁମନ୍ତ ଦୀପ ଗୁରୁତର ଆହତ ହୋଇ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଛନ୍ତି। ଖବର ପାଇ ଖପ୍ରାଖୋଲ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରିଥିଲେ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଏହି ଦୁର୍ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ବର୍ଷାରେ ରାସ୍ତା ଉପରେ ଗଛ ଢଳି ପଡ଼ିଥିବା ସତ୍ତ୍ୱେ ତାହାକୁ ତୁରନ୍ତ ସଫା କରିବା ପାଇଁ ସମ୍ପୃକ୍ତ ବିଭାଗର ପଦକ୍ଷେପ କେଉଁଠି ଥିଲା ? ଯଦି ସମୟମତେ ଗଛଟିକୁ ରାସ୍ତାରୁ ହଟାଯାଇଥାନ୍ତା, ତେବେ ହୁଏତ ଆଜି ଜଣେ ଯୁବକଙ୍କ ଜୀବନ ଅକାଳରେ ଝଡ଼ି ନଥାନ୍ତା। ରାସ୍ତା ସୁରକ୍ଷା ପ୍ରତି ପ୍ରଶାସନର ଏପରି ଅବହେଳା ସାଧାରଣ ଲୋକଙ୍କ ଜୀବନ ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଛି। ଅନ୍ୟପକ୍ଷରେ, ବର୍ତ୍ତମାନର ଯୁବପିଢ଼ିଙ୍କ ମଧ୍ୟରେ ଦ୍ରୁତ ଗତିରେ ବାଇକ ଚଳାଇବା ପ୍ରବୃତ୍ତି ଉଦ୍ୱେଗଜନକ। ବେଗର ନିଶାରେ ଅନେକ ଯୁବକ ରାସ୍ତାର ସମ୍ଭାବ୍ୟ ବିପଦକୁ ଅଣଦେଖା କରିଦେଉଛନ୍ତି। ହେଲମେଟ, ନିୟନ୍ତ୍ରିତ ବେଗ ଓ ସତର୍କତା ଅବଲମ୍ବନ କରିବା ପରିବର୍ତ୍ତେ ଅସାବଧାନ ଭାବେ ଗାଡ଼ି ଚଳାଇବା ଫଳରେ ପ୍ରତିଦିନ ଅନେକ ମୂଲ୍ୟବାନ ଜୀବନ ଅକାଳରେ ଚାଲିଯାଉଛି। ପ୍ରଶାସନର ଅବହେଳା ଓ ଚାଳକଙ୍କ ଅସାବଧାନତା ଏହି ଦୁଇଟି କାରଣ ମିଶିଲେ ସଡ଼କ ମୃତ୍ୟୁର ଚିତ୍ର ଆହୁରି ଭୟାବହ ହେଉଛି। ଏପରି ଘଟଣାର ପୁନରାବୃତ୍ତି ରୋକିବାକୁ ବର୍ଷା ଋତୁରେ ରାସ୍ତା ଉପରେ ପଡ଼ୁଥିବା ଗଛକୁ ତୁରନ୍ତ ହଟାଇବା, ବିପଦସଙ୍କେତ ବୋର୍ଡ ଲଗାଇବା ଏବଂ ସଡ଼କ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ସମୟର ଦାବି।
