ଭଂଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପକ୍ଷରୁ ଚଳିତ ବର୍ଷ ତୃତୀୟ ଥର ପାଇଁ ମୋବାଇଲ ମେଳା ଆୟୋଜିତ ହୋଇଯାଇଛି । ବିଭିନ୍ନ ପରିସ୍ଥିତିରେ ହଜିଥିବା ଏବଂ ଚୋରି ହୋଇଥିବା ଭିନ୍ନ ଭିନ୍ନ ୩୫ ଟି ଦାମୀ ମୋବାଇଲ୍ କୁ ଉଦ୍ଧାର କରି, ସଂପୃକ୍ତ ଉପଭୋକ୍ତାଙ୍କୁ ହସ୍ତାନ୍ତର କରିଛି ପୋଲିସ । ଭଂଜନଗର ଥାନାଧିକାରୀ ଜୀବନାନନ୍ଦ ଜେନା ଙ୍କ ତତ୍ୱାବଧାନରେ ଆଜି ପର୍ଯ୍ୟନ୍ତ ସମୁଦାୟ ୧୬୫ ଟି ମୋବାଇଲ୍ କୁ ଉଦ୍ଧାର କରିବା ସହ ସଂପୃକ୍ତ ଉପଭୋକ୍ତାଙ୍କୁ ଚିହ୍ନଟ କରି ସେମାନଙ୍କୁ ହସ୍ତାନ୍ତର କରିଛି ପୋଲିସ ।

ଉଦ୍ଧାର ହୋଇଥିବା ସମସ୍ତ ମୋବାଇଲର ଆନୁମାନିକ ମୂଲ୍ୟ ପ୍ରାୟ ଚାରି ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଯାହାକି ନୂତନ ବୈଷୟିକ ଜ୍ଞାନକୌଶଳ ଓ ସାଇବର୍ ସେଲ୍ ର ସହାୟତାରେ ଚୋରି ହୋଇଥିବା ଏବଂ ହଜିଯାଇଥିବା ମୋବାଇଲ୍ ଫୋନ୍ କୁ ଉଦ୍ଧାର କରାଯାଇଥିବା ନେଇ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ, ଭଂଜନଗର ଏସଡିପିଓ ଡଃ ଦୀପକ କୁମାର ମିଶ୍ର ।
