ନୂଆଦିଲ୍ଲୀ, ୬ା୩: ଆସାମର ଜୋରହାଟରେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ସୁଖୋଇ-୩୦ ଏମ୍କେଆଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇ ପାଲଇଟ ସ୍କ୍ୱାଡ୍ରନ୍ ଲିଡର ଅନୁଜ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ଦୁରାଗକରଙ୍କ ମୃତ୍ୟୁ ଘଟିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୁଇ ପାଇଲଟଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଶ୍ରୀ ସିଂହ କହିଛନ୍ତି ଯେ ଅଧିକାରୀମାନଙ୍କ ସାହସ ଏବଂ ସେବାକୁ ସର୍ବଦା ଗର୍ବ ଏବଂ କୃତଜ୍ଞତାର ସହିତ ମନେ ରଖାଯିବ। ଏହି ଦୁଃଖର ମୁହୂର୍ତ୍ତରେ ଦେଶ ଶୋକସନ୍ତପ୍ତ ପରିବାର ସହିତ ଦୃଢ଼ ଭାବରେ ଠିଆ ହୋଇଛି ବୋଲି ପୁନର୍ବାର ଦୃଢ଼ କରି ମନ୍ତ୍ରୀ ଶୋକସନ୍ତପ୍ତ ପରିବାର ପ୍ରତି ତାଙ୍କର ସମବେଦନା ଜଣାଇଛନ୍ତି। ସେହିପରି ଭାରତୀୟ ବାୟୁସେନା ମଧ୍ୟ ଗଭୀର ଶୋକ ପ୍ରକାଶ କରି ଲେଖିଛି ଯେ, ସମସ୍ତ କର୍ମଚାରୀ ଏହି ଦୁଃଖ ସମୟରେ ଗଭୀର ସମବେଦନା ପ୍ରକାଶ କରୁଛନ୍ତି ଏବଂ ଶୋକସନ୍ତପ୍ତ ପରିବାର ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି। ଉଭୟ ପାଇଲଟ୍ ରାଷ୍ଟ୍ରର ସେବା କରିବା ସମୟରେ ସର୍ବୋତ୍ତମ ବଳିଦାନ ଦେଇଛନ୍ତି, ସାମରିକ ବିମାନ ଚଳାଚଳର ବିପଦପୂର୍ଣ୍ଣ ଦାବିକୁ ଗୁରୁତ୍ୱ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ସୁଖୋଇ-୩୦ଏମକେଆଇ ଲଢ଼ୁଆ ବିମାନ ଗୁରୁବାର ଦିନ ଜୋରହାଟ ବାୟୁସେନା ଘାଟିରୁ ପ୍ରାୟ ୬୦ କିଲୋମିଟର ଦୂରରେ ନିୟମିତ ତାଲିମ ମିଶନ ସମୟରେ କାର୍ବି ଆଙ୍ଗଲଙ୍ଗ ଜିଲ୍ଲାର ବୋକାଜାନ ସବ୍ ଡିଭିଜନର ଇନଗ୍ଲଙ୍ଗ ଇକୋପି ପାହାଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜୋରହାଟ ବାୟୁସେନା ଘାଟି ୪୭ ସ୍କ୍ୱାର୍ଡନ୍ରୁ ଉଡ଼ାଣ ଭରୁଥିବା ବିମାନଟି ସନ୍ଧ୍ୟା ୭ଟା ୪୨ରେ ରାଡାର ଯୋଗାଯୋଗ ହରାଇଥିଲା। ବୋକାଜାନ ଉପ-ଡିଭିଜନର ଚୋକିହୋଲା ଗାଁର ସ୍ଥାନୀୟ ଲୋକମାନେ ପ୍ରଥମେ ଦୁର୍ଘଟଣା ସ୍ଥାନ ଚିହ୍ନଟ କରିଥିଲେ ଏବଂ ଦୁର୍ଘଟଣାସ୍ଥଳରେ ପହଞ୍ଚି ଦୁଇ ପାଇଲଟ୍ଙ୍କ ମୃତଦେହ ଉଦ୍ଧାର କରିଥିଲେ। ଦୁର୍ଘଟଣାସ୍ଥଳରେ ଏକ ଜୋରଦାର ବିସ୍ଫୋରଣ ଏବଂ ଅଗ୍ନିଗୋଲା ଦେଖିବାକୁ ମିଳିଥିଲା। ବାସିନ୍ଦାମାନେ ଘନ ଜଙ୍ଗଲ ମଧ୍ୟରେ ଭଗ୍ନାବଶେଷର ଚିତ୍ର ସେୟାର କରିଛନ୍ତି। ଜୋରହାଟର ଭାରତୀୟ ବାୟୁସେନାର ହସ୍ପିଟାଲରୁ ପାଞ୍ଚଟି ଆମ୍ବୁଲାନ୍ସ ସମେତ ସନ୍ଧାନ ଏବଂ ଉଦ୍ଧାର ଦଳ ପାହାଡିଆ ସ୍ଥାନରେ ପହଞ୍ଚିଥିଲେ।
