ନୂଆଦିଲ୍ଲୀ: ପଞ୍ଜାବ ବିଜେପି ନେତା ରଭନୀତ ସିଂହ ବିଟ୍ଟୁ ଶୁକ୍ରବାର କେନ୍ଦ୍ର ରେଳ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଇସ୍ତଫାକୁ ତୁରନ୍ତ ଗ୍ରହଣ କରିଛନ୍ତି। ବିଟ୍ଟୁଙ୍କ ରାଜ୍ୟସଭା କାର୍ଯ୍ୟକାଳ ଚଳିତ ବର୍ଷ ଜୁନ୍ ୨୧ ତାରିଖରେ ଶେଷ ହୋଇଥିବା ସୂଚନା ମିଳିଛି। ଜଣେ ସାଂସଦ ଭାବରେ, ସେ ଅଗଷ୍ଟ ୨୦୨୪ରୁ ଜୁନ ୨୦୨୬ ପର୍ଯ୍ୟନ୍ତ ରାଜସ୍ଥାନର ପ୍ରତିନିଧିତ୍ୱ କରିଥିଲେ। ଏହି ସୁଯୋଗ ପାଇଁ କୃତଜ୍ଞତା ପ୍ରକାଶ କରି, ବିଟ୍ଟୁ ଢ ରେ ଏକ ପୋଷ୍ଟରେ କହିଛନ୍ତି, “ଭାରତ ସରକାରଙ୍କ ରାଷ୍ଟ୍ରମନ୍ତ୍ରୀ ଭାବରେ ମୋତେ ଦେଶ ସେବା କରିବାର ସୁଯୋଗ ଦେବା ପାଇଁ ମୁଁ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୀ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି।’ ଭାରତର ଜନସାଧାରଣ, ବିଶେଷକରି ମୋର ପ୍ରିୟ ପଞ୍ଜାବର ସେବା କରିବା ଏକ ସମ୍ମାନର କଥା। ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ନେତୃତ୍ୱରେ ସେବା, ଜାତୀୟତାବାଦ ଏବଂ ଏକ ବିକାଶିତ ଭାରତର ଦୃଷ୍ଟିକୋଣ ପ୍ରତି ପ୍ରତିବଦ୍ଧ। ମୋର ଜନସେବାର ଯାତ୍ରା ନୂତନ ସମର୍ପଣ ସହିତ ଜାରି ରହିଛି ବୋଲି ସେ କହିଛନ୍ତି। ସୂଚନା ଯୋଗ୍ୟ ଯେ, ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ମଧ୍ୟରେ ବିଟ୍ଟୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି।
