ନୀଳଗିରି: ହୋଲିର ପର୍ବକୁ ଭାଇଚାରା ପର୍ବ ଭାବେ ପାଳିତ କରାଯାଇଥାଏ। ରାଗ,ରୋଷ, ଅଭିମାନକୁ ଭୁଲି ପରସ୍ପରକୁ ଭିତରେ ରଙ୍ଗ ବୋଳି କାନ୍ଧକୁ କାନ୍ଧ ମିଶାଇ ଏକତାର ବାର୍ତ୍ତା ସମାଜକୁ ଦିଆଯାଇଥାଏ। ହେଲେ ହୋଲି ପର୍ବ ଏବେ ମଣିଷ ପାଖରେ ଫିକା ପଡ଼ିଗଲାଣି। ନା ଅଛି ସମ୍ପର୍କ ନା ଅଛି ମଣିଷ ପାଣିଆ। ହୋଲି ଠାକୁରକୁ ନେଇ ଗୋଷ୍ଠୀ ସଂଘର୍ଷ ହେବା କେଉଁଠି ନା କେଉଁଠି ଭାଇଚାରା ପର୍ବକୁ କଳୁଷିତ କରୁଥିବାର କୁହାଯାଉଛି । ହିନ୍ଦୁ ପରମ୍ପରାରେ ବାରମାସରେ ତେର ପର୍ବ।ତନ୍ମଧ୍ୟରୁ ଦୋଳ ଓ ହୋଲିପର୍ବର ବିଶେଷତା ଅନନ୍ୟ। ଓଡ଼ିଶାରେ ଦୋଳପର୍ବ ଅବସରରେ ରାଧାକୃଷ୍ଣଙ୍କ ବିଗ୍ରହ ପ୍ରତିଗ୍ରାମରେ ଘରେଘରେ ପୂଜାପାଇ ଆସୁଥିଲା ବେଳେ ଦୋଳଠାକୁରଙ୍କ ପୂଜାକୁ ନେଇ ବାଲେଶ୍ୱର ଜିଲ୍ଲା ନୀଳଗିରି ଏନଏସି ଅନ୍ତର୍ଗତ ୧୦ନଂ ୱାର୍ଡ କାହାଳିଆ ଗ୍ରାମରେ ଗୋଷ୍ଠୀସଂଘର୍ଷ ଘଟି ୫ଜଣ ଆହତ ହୋଇଥିବା ଜଣାଯାଇଛି। ସୂଚନା ମୁତାବକ କାହାଳିଆ ମୌଜା ଚକ୍ରଧରପୁର ବ୍ରାହ୍ମଣଶାସନରେ ରାସବିହାରୀ ଜୀଉଙ୍କ ପବିତ୍ର ଦୋଳଉତ୍ସବ ଉପଲକ୍ଷେ ସୋମବାର ଅନୁଷ୍ଠିତ ମେଳଣ କାର୍ଯ୍ୟକ୍ରମରେ ଶ୍ରୀବିଗ୍ରହ ପ୍ରଥମେ ବ୍ରାହ୍ମଣଶାସନର ପ୍ରତିଘରକୁ ଯାଇ ପୂଜାପାଉଥିଲେ। ପୂଜା ସମ୍ପନ୍ନପରେ ପରେ ଗ୍ରାମର ପରମ୍ପରା ଅନୁଯାୟୀ ଅନ୍ୟ ସଂପ୍ରଦାୟର ଲୋକମାନେ ଆସି ଠାକୁରଙ୍କୁ ପୂଜାବିଧି କରିବାପାଇଁ ନେବାସମୟରେ ବ୍ରାହ୍ମଣ ସଂପ୍ରଦାୟର କିଛିଲୋକ ବାରଣ କରିଥିଲେ ଏବଂ ଠାକୁର ଯାଇପାରିବେ ନାହିଁବୋଲି ସ୍ପଷ୍ଟ ମନାକରିଥିଲେ ।ଏହାକୁ ନେଇ ଯୁକ୍ତିତର୍କ ମଧ୍ୟରେ ଉଭୟପକ୍ଷ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା। ପରେ ଚକ୍ରଧରପୁର ଶାସନର କିଛି ବ୍ରାହ୍ମଣଲୋକ କାହାଳିଆ ଗ୍ରାମର କିଛି ମହିଳା ଏବଂ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ପଥର ଓ ଠେଙ୍ଗାରେ ଆକ୍ରମଣକରିଥିଲେ।ଫଳରେ ଉକ୍ତଗ୍ରାମର ମନୋରଞ୍ଜନ ମହାରଣାଙ୍କ ପତ୍ନୀ ପ୍ରତିମା (୨୮), ସମରେନ୍ଦ୍ର ମହାରଣାଙ୍କ ସ୍ତ୍ରୀ ପ୍ରିୟଙ୍କା (୩୦), ଚିତ୍ତରଞ୍ଜନ ମହାରଣାଙ୍କ ସ୍ତ୍ରୀ ଚିନ୍ମୟୀ (୨୨), ଜୟନ୍ତ ମହାରଣାଙ୍କ ସ୍ତ୍ରୀ ସରସ୍ୱତୀ(୩୦) ଏବଂ ଉକ୍ତ ଗ୍ରାମର କାର୍ଯ୍ୟରତ ସାମ୍ବାଦିକ ପ୍ରଫୁଲ୍ଲ ମହାନ୍ତି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଏହି ଗଣ୍ଡଗୋଳ ସମୟରେ ପ୍ରତିମାଙ୍କ ମଙ୍ଗଳସୂତ୍ର ଏବଂ ମୋବାଇଲ ଛଡ଼ାଇନେବା ସହିତ ଆକ୍ରମଣକରି ତାଙ୍କ ପିଠି ଓ ହାତକୁ ମାଡମାରି ଗୁରୁତର କରିଥିବା ପ୍ରତିମା ଅଭିଯୋଗ କରିଛନ୍ତି। ସେହିପରି ସାମ୍ବାଦିକ ପ୍ରଫୁଲ୍ଲ ମହାନ୍ତିଙ୍କ ମୋବାଇଲ ଏବଂ ବୁମ୍ କୁ ଆକ୍ରମଣକାରି ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ସାମ୍ବାଦିକଙ୍କୁ କୃପାସିନ୍ଧୁ ରଥ ଏବଂ ଲୁନା ଓରଫ ସୁରେଶ ଦାସ ଆକ୍ରମଣ କରିବାଫଳରେ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇପଡିଥିବା ବେଳେ ଖବରପାଇ ନୀଳଗିରି ପୋଲିସର ଘଟଣାସ୍ଥଳରେ ପହଞ୍ଚି ପ୍ରଫୁଲ୍ଲଙ୍କୁ ଉଦ୍ଧାରକରି ୧୧୨ଗାଡିରେ ନେଇ ନୀଳଗିରି ହସ୍ପିଟାଲରେ ଏଡମିସନ୍ କରିଥିବା ଜଣାଯାଇଛି। ଏନେଇ ସାମ୍ବାଦିକ ପ୍ରଫୁଲ୍ଲଙ୍କ ପୁଅ ମନୋଜ ମହାନ୍ତି ଏବଂ ପ୍ରତିମାଙ୍କ ସ୍ୱାମୀ ମନୋରଞ୍ଜନ ନୀଳଗିରି ଥାନାରେ ଅଭିଯୋଗ କରିଥିବା ଜଣାପଡିଛି। ଅପରପକ୍ଷରେ ବ୍ରାହ୍ମଣଶାସନ ତରଫରୁ ଏକାଧିକ ଗ୍ରାମବାସୀ ନୀଳଗିରି ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି। ଖବର ଲେଖିଲାବେଳକୁ ଏସଡିପିଓ ପ୍ରମୋଦ ମଲ୍ଲିକ ଏବଂ ଆଇଆଇସି ଗୋବର୍ଦ୍ଧନ ନାୟକ ହସ୍ପିଟାଲ ଯାଇ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।ତେବେ ପୂର୍ବ ଶତ୍ରୁତାରୁ ଏଭଳି ସଂଘର୍ଷ ହୋଇଥିବା ଶୁଣିବାକୁ ମିଳିଥିବା ବେଳେ ଦୋଳଉତ୍ସବ ଭଳି ପବିତ୍ର କାର୍ଯ୍ୟକ୍ରମରେ ଗ୍ରାମରେ ଏଭଳି ଅଭାବନୀୟ ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି।
