ସୁମାତ୍ରା: ମଙ୍ଗଳବାର ଦିନ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ୬.୧ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ମୃତାହତ କିମ୍ବା କ୍ଷତିର କୌଣସି ଖବର ତୁରନ୍ତ ମିଳିନାହିଁ। ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ ସୁମାତ୍ରା ନିକଟବର୍ତ୍ତୀ ଜଳରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ସୁମାତ୍ରାର ଉତ୍ତର-ପୂର୍ବ ଦିଗରୁ ଉପକୂଳବର୍ତ୍ତୀ ଅଞ୍ଚଳରୁ ଉତ୍ପତ୍ତି ହୋଇଥିଲା। ଭୂକମ୍ପ ଅନୁଭୂତ ହେବା ପରେ ଲୋକମାନେ ଭୟରେ ବାହାରକୁ ପଳାଇ ଆସିଥିଲେ। ଇଣ୍ଡୋନେସିଆର ଭୂମିକମ୍ପ ଏବଂ ସୁନାମି କେନ୍ଦ୍ରର ମୁଖ୍ୟ ରହମତ ତ୍ରିୟୋନୋ କହିଛନ୍ତି ଯେ ସିମେଉଲୁ ଦ୍ୱୀପ ଏବଂ ଆଚେର ପୂର୍ବ-ତଟ ଅଞ୍ଚଳର ଲୋକମାନେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭବ କରିଥିଲେ। ଭୂକମ୍ପ ପ୍ରଭାବରେ ଝରକା ଏବଂ ଦ୍ୱାର ଧଡଧଡ଼ ହୋଇଥିଲା। କେତେକ ସ୍ଥାନରେ କାନ୍ଥ ଫାଟି ଯାଇଛି। ତେବେ ସୁନାମିର କୌଣସି ବିପଦ ନାହିଁ ବୋଲି ସେ କହିଛନ୍ତି।
