ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଛି। ଶାସକ ବିଜେପି ଆଜି ୧୬ସେଟ୍ ଫର୍ମ ନେଇ ୩ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବ ବୋଲି କହି ରାଜ୍ୟସଭା ନିର୍ବାଚନକୁ ରୋଚକମୋଡ଼କୁ ନେଇ ଆସିଛି। ଦଳ ସାମ୍ବାଦିକ ସମ୍ମିଳନୀ କରି ବିଜେଡିର ‘କମନ ପ୍ରାର୍ଥୀ’ ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରିବା ସହ ଆସନ୍ତା ୫ତାରିଖରେ ୩ଜଣ ପ୍ରାର୍ଥୀଙ୍କୁ ରାଜ୍ୟସଭା ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି କହିଛି। ଏସବୁ ମଧ୍ୟରେ କଂଗ୍ରେସ ସମର୍ôଥତ ବିଜେଡିର କମନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ପ୍ରାର୍ଥୀତ୍ୱ ଅନିଶ୍ଚିତତା ଭିତରକୁ ଠେଲି ହୋଇଛି। ବିଜେଡିର ରାଜ୍ୟସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ରଙ୍କୁ ନେଇ ଦଳ ଭିତରେ ଅସନ୍ତୋଷ ଚରମସୀମାରେ ପହଂଚିଥିବାବେଳେ ଚତୁର୍ଥ ପ୍ରାର୍ଥୀଙ୍କୁ ନେଇ କଂଗ୍ରେସର ଆଭିମୁଖ୍ୟ ଏବେ ବିଧାୟକ ଦଳରେ ହଟଚମଟ ସୃଷ୍ଟି କରିଥିବା ଜଣାପଡ଼ିଛି। ପିସିସି ସଭାପତିଙ୍କ ଆଭିମୁଖ୍ୟକୁ ନେଇ ଆଜିର ବୈଠକରେ କେତେକ ବିଧାୟକ ଆପତ୍ତି ଉଠାଇଥିବା ସୂଚନା ମିଳିଛି। ବିଜେଡି ଓ କଂଗ୍ରେସରେ ଥିବା ଅସନ୍ତୋଷରୁ ଫାଇଦା ଉଠାଇ ବିଜେପି ନିଜର ତୃତୀୟ ପ୍ରାର୍ଥୀ(ଚତୁର୍ଥ ଆସନ)ଙ୍କୁ ଜିତାଇବାକୁ ଦୃଢ଼ ନିଶ୍ଚିତ ଥିବା ଜଣାପଡ଼ିଛି । ବିଜେଡି ରାଜ୍ୟସଭା ଚତୁର୍ଥ ଆସନ ପାଇଁ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ନାଁ ଘୋଷଣା କରି ତାଙ୍କୁ ‘କମନ ପ୍ରାର୍ଥୀ’ ଭାବେ ଉପସ୍ଥାପନ କରିବା ପରେ କଂଗ୍ରେସ ତା’ର ସମର୍ଥନ ଦେଇଥିଲା। କିନ୍ତୁ ଡାକ୍ତର ହୋତାଙ୍କୁ ନେଇ ଦୁଇଦିନ ଧରି ଚୁପ୍ ଥିବା ବିଜେପି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ପରୋକ୍ଷରେ ଏହି ‘କମନ୍ ପ୍ରାର୍ଥୀ’ ଫର୍ମୂଲାକୁ ଖାରଜ କରିଛି। ପ୍ରାର୍ଥୀ ଚୟନ ଓ ଘୋଷଣା ପୂର୍ବରୁ ସବୁ ରାଜନୀତିକ ଦଳ ସହ ଆଲୋଚନା କରିବା ଉଚିତ୍ ଥିଲା। କିନ୍ତୁ ବିଜେଡି ଓ କଂଗ୍ରେସ ଏକତରଫା ପ୍ରାର୍ଥୀ ଘୋଷଣା କରି ଭବିଷ୍ୟତର ବାଟ ବନ୍ଦ କରିଦେଇଛନ୍ତି। ବିଜେପି ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ କହିଛନ୍ତି ଯେ, ରାଜ୍ୟସଭା ପ୍ରାର୍ଥୀ ଚୟନକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ତାହା ଗଣତନ୍ତ୍ର ପ୍ରତି ସୁସ୍ଥ ପରମ୍ପରା ନୁହେଁ। ଡାକ୍ତର ସମାଜ ପ୍ରତି ତାଙ୍କ ଦଳର ଶ୍ରଦ୍ଧା ଓ ସମ୍ମାନ ସର୍ବଦା ରହିଆସିଛି ବୋଲି କହି ଶ୍ରୀ ରାୟ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ସମସ୍ତ ରାଜନୈତିକ ଦଳ ସହ ଆଲୋଚନା କରିବା ଉଚିତ୍ ଥିଲା। କିନ୍ତୁ ବିଜେଡି ଓ କଂଗ୍ରେସର ଏକତରଫା ଘୋଷଣା କରିଛନ୍ତି। ବିଜେପି ଆଜି କେବଳ ସମାଲୋଚନା କରି ଚୁପ୍ ବସିନାହିଁ ବରଂ ନିର୍ବାଚନ ମଇଦାନକୁ ପୁରା ଜୋରଦାର ଢଙ୍ଗରେ ଓହ୍ଲାଇବାକୁ ପ୍ରସ୍ତୁତି କରିଛି । ଦଳ ନିଜର ୫ଜଣ ବିଧାୟକଙ୍କୁ ପଠାଇ ୧୬ ସେଟ୍ ନାମାଙ୍କନ ପତ୍ର ଆଣିଛି। ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ନେତୃତ୍ୱରେ ଦଳର ବିଧାୟକ ଆଶ୍ରିତ ପଟ୍ଟନାୟକ, ଦୁଷ୍ମନ୍ତ ସ୍ୱାଇଁ, ରଘୁନାଥ ଜଗଦଲା ଓ ପ୍ରତାପ ନାୟକ ଏହି ନାମାଙ୍କନ ସେଟ୍ ଆଣିଛନ୍ତି। ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସରକାରୀ ମୁଖ୍ୟ ସଚେତକ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆଜି ୧୬ସେଟ୍ ନାମାଙ୍କନ ପତ୍ର ନିଆଯାଇଛି।ଦଳର ସଂସଦୀୟ ବୋର୍ଡର ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ପରେ ହିଁ ନାମାଙ୍କନ ଦାଖଲ ହେବ।
