ଯାଜପୁର: ୧୯ ତାରିଖ ସକାଳ ସମୟ। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଠାରେ ଥିବା ଏକ ପୋଖରୀରେ ଗାଧୋଉ ଥିଲେ ଦୁଇ ନାବାଳକ ମଂଟୁ ଓ ପବିତ୍ର। ଏହି ସମୟରେ ସେମାନଙ୍କ ସାର୍ଟ ହଜିଯିବାରୁ ଦୁହେଁ ନିକଟସ୍ଥ ଧାନମଣ୍ଡଳ ରେଳଷ୍ଟେସନକୁ ଗଲେ ଏବଂ ଏକ ଟ୍ରେନରେ ବସିବାପରେ ଟ୍ରେନଟି ପୁରୀ ରେ ପହଁଚିଲା। ସମ୍ଭବତଃ ଧଉଳି ଏକ୍ସପ୍ରେସରେ ଆସିଥିବା ଅନୁମାନ କରାଯାଏ। ତେବେ ପୁରୀରେ ପହଂଚିବାପରେ ସେମାନେ ପ୍ରଥମେ ସମୁଦ୍ରକୂଳ କୁ ଗଲେ। ସେଠାରେ ଗାଧୋଇ ସାରି ବଡଦାଣ୍ଡ କୁ ଆସିଲେ।ପବିତ୍ର ରଥଯାତ୍ରା ଅବସରରେ ଜିଲ୍ଲା ପ୍ରଶାସନ ଓ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଦ୍ୱାରା ଶିଶୁ ମାନଙ୍କ ସୁରକ୍ଷା ନିମନ୍ତେ ୨୪ ଘଣ୍ଟିଆ ସଚେତନତା, ଉଦ୍ଧାର, ଥଇଥାନ କାର୍ଯ୍ୟ ଚାଲୁଥାଏ । ତେବେ ରଥଯାତ୍ରାର ଜନଗହଳି ଭିତରେ ଦୁଇ ଶିଶୁ ଆସି ବସିଥିଲେ ବୃନ୍ଦାବତୀ ନିବାସ ନିକଟରେ ଥିବା ମନ୍ଦିର ପାଖରେ। ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ସେଠାରେ ସେମାନେ ବସିରହିବା ଦେଖି ଥିଲେ ଶିଶୁ ସୁରକ୍ଷା ସ୍ୱେଚ୍ଛାସେବୀ । ସଙ୍ଗେସଙ୍ଗେ ସେ ଦୁଇ ଶିଶୁ ଙ୍କ ବିଷୟରେ ଶିଶୁ ମଙ୍ଗଳ କମିଟି ସଦସ୍ୟ ଶକ୍ତିପାଦ ମିଶ୍ରଙ୍କୁ ଜଣାଇଲେ।

ତୁରନ୍ତ ଥଇଥାନ ନିମନ୍ତେ ଉତ୍କଳ ବାଳାଶ୍ରମରେ ରହିବାର ବ୍ୟବସ୍ଥା କରିବାକୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଲେ। ଦୁଇ ଶିଶୁ ଉତ୍କଳ ବାଳାଶ୍ରମରେ ରହିଲେ । ତେବେ ସେଦିନ ରାତିରେ ମଣ୍ଟୁ ଓ ପବିତ୍ର ଖାଇପିଇ ଶୋଇଲେ। ପରଦିନ ପରାମର୍ଶ ସେବା ଦେବାପରେ ସମ୍ପୂର୍ଣ୍ଣ ଘଟଣା ଜଣାପଡ଼ିଲା ଯେ ସେ ଦୁହେଁ ହେଉଛନ୍ତି ଯାଜପୁର ଜିଲ୍ଲା ଅଧିବାସୀ। ଏଣୁ ତୁରନ୍ତ ରାଜ୍ୟ ଶିଶୁ ସୁରକ୍ଷା ସମିତି ଅଧିକାରୀ ସଂଗ୍ରାମ କିଶୋର ସାମଲଙ୍କୁ ଜଣାଇବା ପରେ ଏହି ବିଷୟରେ ସେ ଯାଜପୁର ଜିଲ୍ଲାର ହସ୍ତକ୍ଷେପ ଲୋଡିଲେ। ତଦନ୍ତ ପରେ ଜଣାପଡିଲା ସେମାନଙ୍କ ଘର ଯାଜପୁର ଜିଲ୍ଲା ର ମୁଣ୍ଡା ସାହି ରେ ଏବଂ ଉକ୍ତ ଦୁଇ ପିଲା ଶିଶୁ ଯତ୍ନ ଅନୁଷ୍ଠାନରେ ପୂର୍ବରୁ ରହିଥିଲେ। କିନ୍ତୁ ସେମାନଙ୍କୁ ପରିବାରରେ ସମିଶ୍ରଣ କରାଯାଇଥିଲା। ତେବେ ଏ ବିଷୟରେ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଖବର ପାଇବାପରେ ଶିଶୁମଙ୍ଗଳ ସମିତି ପୁରୀ ଙ୍କ ସହ ଯୋଗାଯୋଗ କରି କର୍ମକର୍ତ୍ତାଙ୍କୁ ପୁରୀ ପଠାଇଥିଲେ। ଶେଷରେ ଆଜି ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ପବିତ୍ର ଓ ମଣ୍ଟୁ ଙ୍କୁ ଫେରାଇ ନେଇଛନ୍ତି ତାଙ୍କଜିଲ୍ଲାକୁ, ସେମାନେ ପୁଣି ପରିବାରକୁ ଫେରିଲେ ।
