ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅଞ୍ଚଳରେ ନିଶା କାରବାର ବିରୋଧରେ ଲାଠୋର ପୋଲିସ ପୁଣି ଥରେ ଏକ ସଫଳ ଅଭିଯାନ ଚଳାଇ ୧୨ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ତିନିଜଣଙ୍କୁ ଅଟକ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ବୋଲି ଜଣାପଡ଼ିଛି। ପୋଲିସ ଏହି ମାମଲାରେ ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୂଚନା ଅନୁଯାୟୀ, ମଙ୍ଗଳବାର ଲାଠୋର ଥାନାଧିକାରୀ ଅଭିନାଶ ପଧାନ ପୋଲିସ ଟିମ୍ ସହ ପେଟ୍ରୋଲିଂ କରୁଥିବା ସମୟରେ ଜୟହିନ୍ଦ ପବ୍ଲିକ ସ୍କୁଲ ନିକଟରେ ତୁରେକେଲା ପଟରୁ ଲାଠୋର ଅଭିମୁଖେ ଦ୍ରୁତଗତିରେ ଆସୁଥିବା ଏକ ମୋଟରସାଇକେଲକୁ ସନ୍ଦେହ ଆଧାରରେ ଅଟକାଇଥିଲେ। ବାଇକରେ ତିନିଜଣ ଯାତ୍ରୀ ଥିବାବେଳେ ତଲାସି ସମୟରେ ସେମାନଙ୍କ ନିକଟରୁ ୧୨ କେଜି ଗଞ୍ଜେଇ ଜବତ ହୋଇଥିଲା। ଘଟଣାସ୍ଥଳରେ ଖପ୍ରାଖୋଲ ତହସିଲଦାର ସତ୍ୟସୁନ୍ଦର ରାଉତରାୟ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ରହି ଜବତ ପ୍ରକ୍ରିୟାର ତଦାରଖ କରିଥିଲେ। ଅଭିଯୁକ୍ତମାନେ ସିନ୍ଧେକେଲା ଥାନା ଅନ୍ତର୍ଗତ ଡେଡାଙ୍ଗ ଗ୍ରାମର କୃଷ୍ଣ ବାଗ, ମନିଷ ବାଗ ଓ ଜିତୁ ବାଗ (ଛଦ୍ମନାମ) ବୋଲି ଜଣାପଡ଼ିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ପ୍ରାଥମିକ ପଚରାଉଚରାରେ ସେମାନେ କନ୍ଧମାଳ ଅଞ୍ଚଳରୁ ଗଞ୍ଜେଇ ଆଣି ଛତିଶଗଡ଼ର ରାଇପୁରକୁ ଚାଲାଣ କରୁଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ତଥ୍ୟର ସ୍ୱତନ୍ତ୍ର ତଦନ୍ତ ଚାଲିଛି। ଏନେଇ ଲାଠୋର ଥାନା କେସ ନଂ ୧୩୪/୨୦୨୬ ଅନୁଯାୟୀ ଏନ୍?ଡିପିଏସ୍? ଆଇନରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ମାମଲାର ଅଧିକ ତଦନ୍ତ ଜାରି ରହିଥିବା ଲାଠୋର ଥାନାଧିକାରୀ ସୂଚନା ଦେଇଛନ୍ତି। ଲାଠୋର ପୋଲିସର ଏହି ସଫଳ ଚଢ଼ାଉ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରଶଂସାର ବିଷୟ ପାଲଟିଛି। ସକ୍ରିୟ ପେଟ୍ରୋଲିଂ ଏବଂ ତତ୍ପର କାର୍ଯ୍ୟାନୁଷ୍ଠାନ ଫଳରେ ଗଞ୍ଜେଇ ଜବତ ହୋଇପାରିଛି, ଯାହା ନିଶା କାରବାର ବିରୋଧରେ ପୋଲିସର ଦୃଢ଼ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି। ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ଦୀର୍ଘଦିନ ଧରି ଗଞ୍ଜେଇ ଏବଂ ବେଆଇନ କଫ୍ ସିରପ କାରବାର ଚାଲୁଥିବା ନେଇ ଅଭିଯୋଗ ଓ ଚର୍ଚ୍ଚା ରହିଆସୁଛି। ଏଭଳି ପରିସ୍ଥିତିରେ ଲାଠୋର ପୋଲିସ ଆହୁରି କଡ଼ା ପେଟ୍ରୋଲିଂ, ଗୁଇନ୍ଦା ସୂଚନା ସଂଗ୍ରହ ଏବଂ ସଂଗଠିତ ନିଶା କାରବାର ସହ ଜଡ଼ିତ ବଡ଼ ବଡ଼ ଗଞ୍ଜେଇ ବ୍ୟବସାୟୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଆହୁରି ଜୋରଦାର କରିବା ପାଇଁ ସ୍ଥାନୀୟ ଲୋକମାନେ ଆଶା ପ୍ରକାଶ କରୁଛନ୍ତି। ଏପରି ନିରନ୍ତର ଅଭିଯାନ ନିଶାମୁକ୍ତ ସମାଜ ଗଠନରେ ନିଶ୍ଚିତ ଭାବେ ସହାୟକ ହେବ।
