ପୁରୀ: ଶେଷ ହେଲା ରଥ ଟଣା । ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ । ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ପୁରା ବଡ଼ଦାଣ୍ଡ । ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ପହଞ୍ଚିଥିଲା। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମଧ୍ୟ ଶରଧାବାଲିରେ ପହଞ୍ଚିଛି। ଘଣ୍ଟ, ଶଙ୍ଖଧ୍ୱନି, ହରିବୋଲ ଓ ହୁଳହୁଳିରେ ସାରା ବଡ଼ଦାଣ୍ଡ ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଥିଲା। ଲକ୍ଷ ଲକ୍ଷ ଭକ୍ତଙ୍କ ‘ଜୟ ଜଗନ୍ନାଥ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶ୍ରୀକ୍ଷେତ୍ର ପୁରୀ। ରଥଯାତ୍ରାର ଏହି ଦିବ୍ୟ ଦୃଶ୍ୟର ସାକ୍ଷୀ ହୋଇ ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଥିଲେ। ଗୁରୁବାର ଦିନ ଅପରାହ୍ନ ସମୟରେ ଆରମ୍ଭ ହୋଇଥିଲା ରଥ ଟଣା । ଦିନ ଗଡିବା ପରେ ତିନି ରଥ ଟଣା ପୁରା ହୋଇପାରିନଥିଲା । ସେଥିପାଇଁ ଶୁକ୍ରବାର ଦିନ ପୁଣି ଥରେ ଆରମ୍ଭ ହୋଇଥିଲା ରଥ ଟଣା । ଦୀର୍ଘ ସମୟ ଧରି ରଥ ଟଣା ହେବା ପରେ ପ୍ରଥମେ ତାଳଧ୍ୱଜ ରଥ ପହଞ୍ଚିଥିଲା । ପରେ ଦର୍ପଦଳନ । ଆଉ ଶେଷରେ କାଳିଆ ସାଆନ୍ତେଙ୍କ ରଥ ପହଞ୍ଚିଥିଲା ।ଅନେକ ଦୁରରୁ ଭକ୍ତ ମାନେ ଛୁଟି ଆସିଛନ୍ତି ମହାପ୍ରଭୁଙ୍କୁ ଦର୍ଶନ କରିବା ନିମନ୍ତେ ।ସତେକି ଯେମିତି ପ୍ରବଳ ବର୍ଷାରେ ମହାପ୍ରଭୁ ତାଙ୍କ ପ୍ରିୟ ଭକ୍ତକୁ ଅପେକ୍ଷା କରି କାଲିଠାରୁ ରଥ ଉପରେ ଅପେକ୍ଷା କରି ରହିଥିଲେ,ବର୍ଷା ଛାଡ଼ିଲେ ତା ଭକ୍ତ ଆସିବ ତେଣୁ ରଥ ଯେତେ ଆଗକୁ ନେବାକୁ ପ୍ରଶାସନ,ସେବାୟତ ଚାହିଁ ଥିଲେ ମଧ୍ୟ ଜଗାର ରଥ ଜମା ଆଗକୁ ଗଡି ନଥିଲା ।ତେଣୁ ଆଜି ଭକ୍ତ ଆସି ମହାପ୍ରଭୁଙ୍କ ନିକଟରେ ପହଞ୍ଚିବା ପରେ ଭକ୍ତ କୁ ଦର୍ଶନ ଦେଉଛନ୍ତି ।ଶନିବାର ସନ୍ଧ୍ୟାରେ ଠାକୁରଙ୍କୁ ଗୋଟିପହଣ୍ଡି ରେ ଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପ ରେ ବିଜେ କରାଯିବ। ଭକ୍ତ ମାନେ ଆଡ଼ପ ଦର୍ଶନ ର ସୁଯୋଗ ପାଇବେ। ରବିବାର ଗୁଣ୍ଡିଚା ମନ୍ଦିର ଠାକୁର ଙ୍କୁ ମହାପ୍ରସାଦ ଲାଗି ହେବ। ଏହା ଆଡ଼ପ ଅଭଡ଼ା ନାମରେ ଜଣାସୁଣା।
