ବାରିପଦା; ମୟୂରଭଞ୍ଜ ଜିଲ୍ଲା, ମୋରଡା ବ୍ଲକ ଅଧୀନ ଚିତ୍ରଡା ଧର୍ମକ୍ଷେତ୍ର,ରଥଯାତ୍ରା ଉପଲକ୍ଷେ ବେଶ ଚଳଚଞ୍ଚଳ ହୋଇ ଉଠିଛି। ତେବେ ଦେବ ସ୍ନାନ ପୂର୍ଣ୍ଣିମା ଠାରୁ ପନ୍ଦର ଦିନ ଜ୍ୱରରେ ପୀଡ଼ିତ ଥିବା ବିଗ୍ରହ ମାନେ ସମ୍ପୂର୍ଣ ଭାବେ ସୁସ୍ଥ ହେବା ପରେ ଆଜି ଭକ୍ତଙ୍କୁ ନବ ଯୌବନ ବେଶରେ ଦର୍ଶନ ଦେଇଛନ୍ତି । ସକାଳୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମଙ୍ଗଳ ଆଳତୀ ଓ ଅନ୍ୟାନ୍ୟ ନୀତିକାନ୍ତି ସମାପନ ପରେ ପୂର୍ବାହ୍ନ ନଅଟାରେ ନବ ଯୌବନ ଦର୍ଶନ ଆରମ୍ଭ ହୋଇଥିଲା । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟରେ ପରିମାଣିକ ଓ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ତେବେ ଦୀର୍ଘ ପନ୍ଦର ଦିନ ପରେ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତଗଣ ଭାବ ବିହ୍ୱଳ ହୋଇପଡ଼ିଥିଲେ। ନବଯୌବନ ଦର୍ଶନ ପରେ ଆସନ୍ତା ଜୁଲାଇ ୧୬ ତାରିଖ ଗୁରୁବାର ଅପରାହ୍ନ ଚାରିଟାରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହେବେ ଏବଂ ଚିତ୍ରଡା ରଥ ପରମ୍ପରା ଅନୁଯାୟୀ, ରଥାରୂଢ ପରଦିନ ରଥ ଟଣା ଆରମ୍ଭ ହୋଇ ବ୍ଲକ ଛକ ନିକଟରେ ଠାକୁର ଗୋଟିଏ ରାତି ରହଣି କରିବା ପରେ ତାପର ଦିନ ପୁଣି ରଥା ଟଣା ହୋଇ ମାଉସୀମା ମନ୍ଦିରରେ ପହଞ୍ଚିବେ ।
