ସାହାରପଡା : କେନ୍ଦୁଝର ଜିଲ୍ଲା, ସାହାରପଡା ବ୍ଲକ ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ଟଭାସରୁଆ–ଖୁଞ୍ଚିବେଡା ନିକଟରେ ମଙ୍ଗଳବାର ସକାଳେ ଏକ ଟ୍ରକ ଓ ହୋଣ୍ଡା କାର ମଧ୍ୟରେ ଭୟଙ୍କର ମୁହାଁମୁହିଁ ଧକ୍କା ଘଟିଛି। ଦୁର୍ଘଟଣାର ଭୟାବହତା ଦେଖି ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।ସୂଚନା ଅନୁଯାୟୀ, ସାହାରପଡା ପଟୁ ପାଟଣା ଅଭିମୁଖେ ଯାଉଥିବା ଏକ ଟ୍ରକ ସହ ପାଟଣା ପଟୁ ଜାମସେଦପୁର ଅଭିମୁଖେ ଯାଉଥିବା ହୋଣ୍ଡା କମ୍ପାନୀର ଏକ କାର ବୁଲାଣି ନିକଟରେ ଭାରସାମ୍ୟ ହରାଇ ସିଧାସଳଖ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା। ତେବେ ଦୁର୍ଘଟଣା ଯେତେ ଭୟଙ୍କର ଥିଲେ ମଧ୍ୟ, କାରରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇ ସୁରକ୍ଷିତ ରହିଥିବା ଜଣାପଡ଼ିଛି। ଖବର ପାଇ ପାଟଣା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହ ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସମ୍ପର୍କରେ ପାଟଣା ଥାନାରେ କେସ୍ ନଂ–୨୫୯/୨୬ ରୁଜୁ ହୋଇଥିବା ବେଳେ ପାଟଣା ଥାନା ଅଧିକାରୀ କିରଣ ଶଙ୍କର ସାହୁ ଏହାର ପୁଷ୍ଟି କରିଛନ୍ତି।
