ଝାରସୁଗୁଡ଼ା : ଧରାପଡ଼ିଲେ ବିଦେଶୀ ମଦ ଦୋକାନ ଲୁଟେରା । ଝାରସୁଗୁଡ଼ା ପୋଲିସର ବଡ଼ ଆକ୍ସନ । ୫୦ ଘଣ୍ଟାରେ ଧରାପଡ଼ିଲେ ଲୁଟେରା! । ଜବତ ହେଲା ବୋଲେରୋ ଗାଡ଼ି । ମାତ୍ର ୫୦ ଘଣ୍ଟା ମଧ୍ୟରେ ଏକ ଆନ୍ତଃ-ଜିଲ୍ଲା ମଦ ଦୋକାନ ଲୁଟେରା ଗ୍ୟାଙ୍ଗ୍ ର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ମାମଲାରେ ଗଞ୍ଜାମ ଜିଲ୍ଲାର ୪ ଜଣ ପେସାଦାର ଅପରାଧୀଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ଲୁଟ୍ ଟଙ୍କା, ବୋଲେରୋ ଗାଡ଼ି ଏବଂ ଚୋରି ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି। ଓରିଏଣ୍ଟ ଏବଂ ବନହରପାଲି ଥାନା ଅଞ୍ଚଳରେ ହୋଇଥିବା ଦୁଇଟି ଚୋରି ମାମଲାର କ୍ଷିପ୍ର ତଦନ୍ତ କରି ପୋଲିସ ଏହି ସଫଳତା ପାଇଛି। ଗତ ୮ ତାରିଖ ବିଳମ୍ବିତ ରାତିରେ ଏହି ଗ୍ୟାଙ୍ଗ୍ ଓରିଏଣ୍ଟ ଥାନା ଅଞ୍ଚଳରେ ଥିବା ଏକ ବିଦେଶୀ ମଦ ଦୋକାନକୁ ଟାର୍ଗେଟ୍ କରିଥିଲା। ଲୁଟେରାମାନେ ଦୋକାନର ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ କରି ବାନ୍ଧି ପକାଇବା ସହ ତାଙ୍କ ମୋବାଇଲ୍ ଭାଙ୍ଗି ଦେଇଥିଲେ ଏବଂ ନଗଦ ଟଙ୍କା ଓ ମଦ ବୋତଲ ଲୁଟି ଫେରାର ହୋଇଯାଇଥିଲେ। ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ଗଞ୍ଜାମର ପ୍ରଶାନ୍ତ ବେହେରା ଏହି ଗ୍ୟାଙ୍ଗ୍ ର ମାଷ୍ଟରମାଇଣ୍ଡ ଥିଲା। ସେ ବ୍ରହ୍ମପୁରରୁ ଏକ ମହିନ୍ଦ୍ରା ବୋଲେରୋ ଭଡ଼ାରେ ଆଣି ନିଜ ସହଯୋଗୀ କିଷାନ ପାଣ୍ଡି , ନାରାୟଣ ଜେନା ଓରଫ ମିଥୁନ ଏବଂ ଚିତ୍ରସେନ ଜେନାଙ୍କ ସହ ମିଶି ଏହି ଚୋରି ଯୋଜନା କରିଥିଲା। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ହେଉଛନ୍ତି ପେସାଦାର ଅପରାଧୀ। ସେମାନଙ୍କ ନାମରେ ପୂର୍ବରୁ ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଏବଂ ଭୁବନେଶ୍ୱରର ବିଭିନ୍ନ ଥାନାରେ ଏକାଧିକ ଚୋରି ମାମଲା ରହିଛି। ନଗଦ ୩୫,୭୦୦ ଟଙ୍କା, ଅପରାଧରେ ବ୍ୟବହୃତ ମହିନ୍ଦ୍ରା ବୋଲେରୋ, ଦୁଇଟି ଶାବଳ ଏବଂ ଚୋରିରେ ବ୍ୟବହୃତ ଉପକରଣ, ଗୋଟିଏ ଡିଜିଟାଲ୍ ଭିଡିଓ ରେକର୍ଡର (ଊଠଜ) ଏବଂ ୩ଟି ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ । ଓଡ଼ିଶାର ଅନ୍ୟ କେଉଁ ସ୍ଥାନରେ ଏହି ଗ୍ୟାଙ୍ଗ୍ ଚୋରି କରିଛି କି ନାହିଁ, ସେ ନେଇ ପୋଲିସ ଅଧିକ ସୂଚନା ପାଇଁ ତଦନ୍ତ ଜାରି ରଖିଛି।
